ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ସମେତ ୯ଟି ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି : ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

30

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ସମେତ ପ୍ରାୟ ୯ଟି ଜିଲ୍ଲାରେ ବନ୍ୟା ଜଳ ମାଡ଼ିଆସି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷା ଓ ଉଦ୍ଧାର ଜାରି ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସହରାଂଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନତମାମ୍ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରେ ଥିବା ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ମାରାଥନ୍ ବୈଠକ କରି ସ୍ଥିତିର ତଦାରଖ କରିଛନ୍ତି। ପ୍ରଭାବିତ ଲୋକଙ୍କ ନିକଟରେ ସହାୟତା ପହଂଚାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଦୁର୍ଗମ ସ୍ଥାନରେ ପ୍ରଖର ଜଳସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳ ପହଂଚିପାରୁ ନାହାନ୍ତି, ସେଠାରେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ସହାୟତାରେ ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନର ତଦାରଖକୁ ବ୍ୟାପକ କରିବା ପାଇଁ କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗଞ୍ଜାମରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଜପତିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଳାହାଣ୍ଡିରେ ମୁକେଶ ମହାଲିଙ୍ଗ ଓ କନ୍ଧମାଳରେ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। କୋରାପୁଟ ଜିଲ୍ଲାରେ ପଟ୍ଟାଙ୍ଗି-ଗାଲିଗବଦର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଯାହାକି ଏବେ ସ୍ୱାଭାବିକ ହୋଇଛି। ଗଜପତି ଜିଲ୍ଲାର ମୋହନା, ଉଦୟଗିରି ଓ ରାୟଗଡ଼ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୪ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଥିବାବେଳେ ଜଳସ୍ତର ଅନୁଧ୍ୟାନ କରାଯାଇ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆକାଶମାର୍ଗରୁ ବର୍ଷାଜନିତ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବେ। ଏହାସହିତ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.