ଡିଜିଟାଲ ଠକେଇ ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରାଯିବା ଦରକାର: ସୁପ୍ରିମକୋର୍ଟ

15

ନୂଆଦିଲ୍ଲୀ: ଡିଜିଟାଲ ଠକେଇ ପୀଡ଼ିତଙ୍କୁ ବ୍ୟାଙ୍କ ପକ୍ଷରୁ କ୍ଷତିପୂରଣ ମିଳିବା ସପକ୍ଷରେ ମତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ଯଦି ଡିଜିଟାଲ ଗିରଫଦାରୀ ଠକେଇ ଦ୍ୱାରା କେହି କ୍ଷତି ସହୁଛନ୍ତି ଓ ବ୍ୟାଙ୍କର ଅବହେଳା ଯୋଗୁ ସାଇବର ଲୁଟେରା ସେମାନଙ୍କ ଯୋଜନାରେ ସଫଳ ହେଉଛନ୍ତି, ତା’ହେଲେ ଆର୍ଥିକ ସଂସ୍ଥା ପ୍ରଭାବିତଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ।ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ବାଧ୍ୟତାମୂଳକ ପ୍ରତିଷେଧକ ମୂଳକ ପଦକ୍ଷେପର ଆବଶ୍ୟକତା ରହିଛି। ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅସ୍ୱାଭାବିକ ନେଣଦେଣକୁ ତୁରନ୍ତ ରଦ୍ଦ କରାଯାଉ।ସନ୍ଦେହଜନକ କାର୍ଯ୍ୟକଳାପର ସ୍ୱଂୟଚାଳିତ ରିପୋର୍ଟିଂ ଓ ଫିଜିକାଲ ଯାଞ୍ଚ ଭଳି ବ୍ୟବସ୍ଥାକୁ ବ୍ୟାଙ୍କ ଆପଣାଇବା ଉଚିତ। ଏହାଦ୍ୱାରା ବାସ୍ତବରେ ଆକାଉଣ୍ଟଧାରୀ ନେଣଦେଣ କରୁଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ।ଶୁଣାଣି ବେଳେ ସିଜେଆଇ ଆହୁରି କହିଛନ୍ତି ଯେ “ବ୍ୟାଙ୍କର୍ସ ଭାବେ ପୀଡ଼ିତଙ୍କୁ ସୁରକ୍ଷା ଦେବା ଆପଣମାନଙ୍କ କର୍ତ୍ତବ୍ୟ। ପ୍ରାଧିକୃତ ଅଧିକାରୀମାନେ ଏହି ପ୍ରସଙ୍ଗରେ କ’ଣ କରୁଛନ୍ତି? ଆପଣମାନେ ବଡ଼ ବଡ଼ କମ୍ପାନୀର ନେଣଦେଣ ବେଳେ ସମ୍ଭବତଃ ଅସ୍ୱାଭାବିକ ଅନୁଭବ କରି ନ ପାରନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସାଧାରଣତଃ ୧୦ କିମ୍ବା ୨୦ ହଜାର ଉଠାନ୍ତି, କିନ୍ତୁ ହଠାତ୍‌ ଯଦି ସେ ୫୦ ହଜାର ଉଠାଉଛନ୍ତି, ତା’ହେଲେ ଆପଣମାନେ ଏହାକୁ ଅସ୍ୱାଭାବିକ ଭାବିବେ ନାହିଁ?”ଏହି ଖଣ୍ଡପୀଠରେ ସିଜେଆଇଙ୍କ ସମେତ ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି ମୋହନା ରହିଛନ୍ତି। ଖଣ୍ଡପୀଠ ପକ୍ଷରୁ ସାଇବର ଠକେଇ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏକଥା କୁହାଯାଇଛି। ପ୍ରସ୍ତାବିତ ନିୟାମକ ଢାଞ୍ଚାରେ ଯଦି ଆର୍ଥିକ କାରବାର କରୁଥିବା ସଂସ୍ଥାଗୁଡ଼ିକ ଦ୍ୱାରା ଆବଶ୍ୟକ ସାବଧାନତା ଆପଣା ଯାଉନାହିଁ, ତା’ହେଲେ ଏପରି ସ୍ଥିତିରେ ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ଉପରେ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି l ସିଜେଆଇ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଆମେ ପ୍ରସ୍ତାବ ଦେବାକୁ ଚାହୁଁଛୁ ଯେ ଯେଉଁଠି ବି ଅବହେଳା କାରଣରୁ ଠେକଇ ହେଉଛି, ସେଠାରେ ବ୍ୟାଙ୍କ ପକ୍ଷରୁ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ ଓ ନିଜ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ହେବ। ଏମିତି କରିବାକୁ ହିଁ ପଡ଼ିବ।”ଦେଶରେ ବଢ଼ୁଥିବା ଡିଜିଟାଲ ଗିରଫଦାରୀ ସହ ଜଡ଼ିତ ଠକେଇ ମାମଲା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଅତ୍ୟନ୍ତ ନିରାଶା ପ୍ରକଟ କରିଛନ୍ତି। ଶିକ୍ଷିତ ଲୋକମାନେ ଏପରି ଠକେଇର ଶିକାର କେମିତି ହେଉଛନ୍ତି? ଡିଜିଟାଲ ଗିରଫଦାରୀକୁ ନେଇ ସେମାନେ ଏତେ ଭୟଭୀତ କାହିଁକି?ଏ ଭୟ ସୃଷ୍ଟି ହେବା ଯୋଗୁ ଘଟୁଛି। ଲୋକମାନେ ଏଭଳି ମାମଲାରେ କେମିତି ଫସି ଯାଉଛନ୍ତି? ଯଦି କେହି ମୋବାଇଲ ଫୋନରେ ଆପଣଙ୍କୁ ଗିରଫ କରାଯାଇଛି ବୋଲି କହି ଦେଉଛି, ତା’ହେଲେ ଆପଣ କେମିତି ଗିରଫ ହୋଇଗଲେ ବୋଲି ଭାବୁଛନ୍ତି?ଆମ ଭଳି ଗୋଟିଏ ରାଷ୍ଟ୍ରରେ ଆପଣମାନେ କେମିତି ପୀଡ଼ିତ ବନୁଛନ୍ତି? ଏହି ବୟସରେ ଆପଣ ଜଣେ ପୀଡ଼ିତ ବନି ପରବର୍ତ୍ତୀ ପିଢ଼ିକୁ କ’ଣ ଧାରଣା ଦେଉଛନ୍ତି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି। ପରବର୍ତ୍ତୀ ଶୁଣାଣି ବେଳକୁ ସମସ୍ତ ପଞ୍ଜିକୃତ ଓ ଲାଇସେନ୍ସ ପ୍ରାପ୍ତ ସମସ୍ତ ଆର୍ଥିକ ସଂସ୍ଥାର ତାଲିକା ଦାଖଲ କରିବାକୁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାଦ୍ୱାରା କୋର୍ଟ ସମସ୍ତଙ୍କ ପାଇଁ ଗୋଟିଏ ନିର୍ଦ୍ଦେଶ ଜାରି କରିପାରିବେ।

Comments are closed, but trackbacks and pingbacks are open.