ନୂଆଦିଲ୍ଲୀ: ଦିଲ୍ଲୀ ଭୋଟର ତାଲିକାରେ ସ୍ୱତନ୍ତ୍ର ପୁନଃ ନିରୀକ୍ଷଣ ମାମଲାରେ ସୁପ୍ରିମକୋର୍ଟ ବୁଧବାର ଭାରତର ନିଵେଚନ କମିଶନଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି l ଶୀର୍ଷ ଅଦାଲତ ପଚାରିଛନ୍ତି ,ଚିଠା ଭୋଟର ତାଲିକାରୁ ବାଦ ପଡିଥିବା ୪୩ ଲକ୍ଷ ମତଦାତାଙ୍କ ମଧ୍ୟରୁ ଯେଉଁମାନଙ୍କ ନା ସ୍ଥାନାନ୍ତର କିମ୍ବା ଅନୁପସ୍ଥିତ ଶ୍ରେଣୀରେ ରଖାଯାଇଛି ସେମାନଙ୍କ ନା ଯୋଡିବା ପାଇଁ ଫର୍ମ ୬ ଭରିବା ପାଇଁ କାହିଁକି କୁହାଯାଉଛି ? କାରଣ ଏହି ଫର୍ମ ନୂଆ ମତଦାତାଙ୍କ ନାମ ପଞ୍ଜିକରଣ ପାଇଁ ଉଦ୍ଧିଷ୍ଠ l କିନ୍ତୁ କଟିଥିବା ମତଦାତା ପୂର୍ବରୁ ହିଁ ଭୋଟର ତାଲିକାରେ ଅଛନ୍ତି l ତେଣୁ ନିର୍ବାଚନ କମିଶନ ଫର୍ମ ଏସଆଇଆରରେ ଫର୍ମ ୬ ,୭,୮ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ,ଜଷ୍ଟିସ ଜୟମାଲ୍ୟା ବାଗଚି ଏବଂ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡ ପୀଠ କହିଛନ୍ତି l
ଖଣ୍ଡପୀଠ କହିଛନ୍ତି, ଭୋଟରମାନେ ନିଜ ନାମ ତାଲିକାରେ ଯୋଡ଼ିବା ପାଇଁ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିବେ ବୋଲି ଅପେକ୍ଷା କରିବା ପରିବର୍ତ୍ତେ ନିର୍ବାଚନ ଆୟୋଗ ନିଜେ ସେମାନଙ୍କ ପାଖରେ ପହଞ୍ଚିବା ଉଚିତ। ଦିଲ୍ଲୀରେ ଜୀବିକା ପାଇଁ ବହୁ ଲୋକ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ କିମ୍ବା ଗୋଟିଏ ସହରରୁ ଅନ୍ୟ ସହରକୁ ଯାତାୟାତ କରୁଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୋର୍ଟ ଉଲ୍ଲେଖ କରିଥିଲେ। କୋର୍ଟଙ୍କ ମତରେ, ଜଣେ ଭୋଟର ମାସେ କିମ୍ବା ଦୁଇମାସ କାମରେ ବାହାରେ ରହିଲେ, ତାଙ୍କୁ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ବୋଲି ଧରିନେବା ଉଚିତ ନୁହେଁ। ଅସ୍ଥାୟୀ ଅନୁପସ୍ଥିତିକୁ ସ୍ଥାୟୀ ସ୍ଥାନାନ୍ତର ସହ ସମାନ କରାଯାଇପାରିବ ନାହିଁ। ତେଣୁ ପୂର୍ବ ଠିକଣାରେ ନ ମିଳିବା ଆଧାରରେ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା ପୂର୍ବରୁ ଉପଯୁକ୍ତ ଯାଞ୍ଚ ହେବା ଆବଶ୍ୟକ। ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଏହାର ନିର୍ଦ୍ଧାରିତ ଆଇନଗତ ଫର୍ମାଟ୍ ରହିଛି । ନିର୍ବାଚନ ଆୟୋଗ ନିଜ ଇଚ୍ଛାରେ ଏହି ଫର୍ମଗୁଡ଼ିକୁ ପରିବର୍ତ୍ତନ କରିପାରିବ ନାହିଁ। ଫର୍ମ-୬ ସାଧାରଣତଃ ପ୍ରଥମ ଥର ପାଇଁ ଭୋଟର ଭାବେ ପଞ୍ଜୀକରଣ କରିବା ନିମନ୍ତେ ଉଦ୍ଦିଷ୍ଟ। ଅନ୍ୟପକ୍ଷରେ, ଫର୍ମ-୮ ଠିକଣା ପରିବର୍ତ୍ତନ ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ସଂଶୋଧନ ପାଇଁ ବ୍ୟବହୃତ ହୁଏ।ତେଣୁ ୨୦୨୬ର ଭୋଟର ତାଲିକାରେ ଯେଉଁମାନଙ୍କ ନାମ ପୂର୍ବରୁ ଥିଲା, ସେମାନଙ୍କୁ ପୁନର୍ବାର ନୂଆ ଭୋଟର ଭାବେ ଆବେଦନ କରିବାକୁ କାହିଁକି କୁହାଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ।
Prev Post
Comments are closed, but trackbacks and pingbacks are open.