ରାଷ୍ଟ୍ରପତି ଭବନ ଉପରେ ହୁତିଙ୍କ ଡ୍ରୋନ୍-ମିସାଇଲ୍ ଆକ୍ରମଣ: ୨ ସୁରକ୍ଷାକର୍ମୀ ମୃତ, ୬ ଆହତ

36

ୟେମେନ: ୟେମେନରେ ହୁତି ବିଦ୍ରୋହୀ ଏବଂ ସାଉଦି ଆରବ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ଆହୁରି ଭୟାନକ ରୂପ ନେଇଛି। ହୁତି ବିଦ୍ରୋହୀମାନେ ୟେମେନର ଅଦନ୍ ସ୍ଥିତ ଅଲ୍-ମଆଶିକ୍ ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରି ଗୁରୁବାର ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣ ସତ୍ତ୍ୱେ ସରକାରୀ ନେତୃବୃନ୍ଦ ଭୟଭୀତ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଛି। ୟେମେନର ଯୁବ ମନ୍ତ୍ରୀ ନାଏଫ୍ ସାଲେହ ଅଲ୍-ବକ୍ରି ସୂଚନା ଦେଇଛନ୍ତି ଯେ, ଅଦନରେ ଉପସ୍ଥିତ ଥିବା କ୍ୟାବିନେଟ୍‌ର ସମସ୍ତ ମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ଏହିପରି ଆକ୍ରମଣ ସତ୍ତ୍ୱେ ସରକାରଙ୍କ କୌଣସି ସଦସ୍ୟ ସହର ଛାଡ଼ି ଯିବେ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ହୁତି ବିଦ୍ରୋହୀମାନେ ସାଉଦି ଆରବର ପ୍ରମୁଖ ତୈଳ ପ୍ରତିଷ୍ଠାନ ଓ ରିୟାଦ ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ୍ କରିଥିବା ଦାବି କରିଥିଲେ। ହୁତି ସାମରିକ ମୁଖପାତ୍ର ୟାହ୍ୟା ସରି ବାଲିଷ୍ଟିକ୍ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନ୍ ସାହାଯ୍ୟରେ ସାଉଦି ଆରବର ଏକାଧିକ ସ୍ଥାନରେ ଆକ୍ରମଣ କରାଯାଇଥିବା ନେଇ ଦାବି କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି।

Comments are closed, but trackbacks and pingbacks are open.