ନୟାପଲ୍ଲୀରେ ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର ହେଲା SUV

21

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନୟାପଲ୍ଲୀ ଅଞ୍ଚଳରେ ପୁଣି ଏକ ‘ହିଟ୍ ଆଣ୍ଡ ରନ୍’ ବା ଧକ୍କା ଦେଇ ଫେରାର୍ ହେବା ଘଟଣା ସାମ୍ନାକୁ ଆସିଛି। ରାସ୍ତା ପାର ହେଉଥିବା ଜଣେ ବ୍ୟକ୍ତିଙ୍କୁ ଏକ କଳା ରଙ୍ଗର ଏସୟୁଭି (SUV) ଧକ୍କା ଦେବା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାରେ ବ୍ୟକ୍ତିଜଣକ ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ରାଜଧାନୀରେ ପଥଚାରୀଙ୍କ ସୁରକ୍ଷା ଓ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଏହା ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଆହତ ବ୍ୟକ୍ତିଙ୍କ ନାମ ବିଭୂତି ଭୂଷଣ ଚଇନି ଏବଂ ସେ ଭରତପୁର ଅଧୀନସ୍ଥ ସମ୍ପୁର ଅଞ୍ଚଳର ବାସିନ୍ଦା ଅଟନ୍ତି। ସେ ମିଠା କିଣି ରାସ୍ତା ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ି ଚାଳକ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରୁ ପଳାଇ ଯାଇଥିଲେ। ଏହି ଭୟଙ୍କର ଧକ୍କାରେ ବିଭୂତି ଭୂଷଣ ଚଇନି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ଘଟଣା ପରେ ନୟାପଲ୍ଲୀ ପୋଲିସ୍ ନିଜର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କଳା ଏସୟୁଭି ଏବଂ ଏହାକୁ ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି ।

Comments are closed, but trackbacks and pingbacks are open.