କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

32

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ଡଙ୍ଗାରେ ଚଢ଼ିବା ସମୟରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି। ରାଜକନିକା ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାଧର ପ୍ରସାଦ ଡିଆ ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀ ଘାଟରେ ଏହି ଦୁଃଖଦ ଘଟଣା ଘଟିଛି। ନିଖୋଜ ବୃଦ୍ଧ ଜଣକ ସ୍ଥାନୀୟ ଅଞ୍ଚଳର ପରେଶ୍ୱର ବେହେରା (୬୦) ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ବୃଦ୍ଧ ଜଣକ ଗଙ୍ଗାଧର ପ୍ରସାଦ ଡିଆ ଗ୍ରାମରୁ ନିକଟସ୍ଥ ବଜାରକୁ ଯିବା ପାଇଁ ଖରସ୍ରୋତା ନଦୀ ଘାଟରେ ଡଙ୍ଗାକୁ ଅପେକ୍ଷା କରିଥିଲେ। ତେବେ ଡଙ୍ଗାରେ ଚଢ଼ିବା ସମୟରେ ଏକ କୁମ୍ଭୀର ହଠାତ୍ ଆସି ତାଙ୍କୁ ନଦୀ ଜଳକୁ ଟାଣି ନେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ଅନ୍ୟପକ୍ଷରେ, ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବାରମ୍ବାର କୁମ୍ଭୀର ଆକ୍ରମଣକୁ ନେଇ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବୃଦ୍ଧି ପାଉଛି।

Comments are closed, but trackbacks and pingbacks are open.