ନିଖୋଜ ପାଇଲଟଙ୍କୁ ଖୋଜି ପାଇଲା ଆମେରିକା

216

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ରବିବାର ୩୭ ଦିନରେ ପହଞ୍ଚିଛି। ଦୀର୍ଘ ଏକ ମାସ ଧରି ଚାଲିଥିବା ଏହି ଆକ୍ରମଣ ଓ ପ୍ରତି-ଆକ୍ରମଣ ଥମିବାର ନାଁ ନେଉନାହିଁ। ଉଭୟ ପକ୍ଷର ଆଭିମୁଖ୍ୟକୁ ଦେଖିଲେ ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ମିଳୁନାହିଁ। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ ଆଲୋଚନା ଜାରି ରହିଛି। ଅନ୍ୟପଟେ, ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ଇରାନ ଏବଂ ଲେବାନନରେ ଥିବା ହିଜବୁଲ୍ଲା ସଙ୍ଗଠନ ବିରୋଧରେ କ୍ରମାଗତ ଭାବେ ଆକ୍ରମଣ ଜାରି ରହିଛି। ଏହାର କଡ଼ା ଜବାବ ଦେଇ ଇରାନ ମଧ୍ୟ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସେନା ଘାଟି ଏବଂ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରତିଷ୍ଠାନକୁ ଟାର୍ଗେଟ କରୁଛି। ନିକଟରେ ଇରାନୀ ସୁରକ୍ଷା ବାହିନୀ ଆମେରିକାର ଏକ ‘ଏଫ୍-୧୫ଇ’ (F-15E) ଲଢ଼ୁଆ ବିମାନକୁ ମାରି ଖସାଇ ଦେଇଥିବା ଦାବି କରାଯାଇଛି। ଏହି ଘଟଣା ପରେ ବିମାନରେ ଥିବା ଦୁଇଜଣ କର୍ମଚାରୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳିଥିବା ବେଳେ ଅନ୍ୟଜଣେ ଆମେରିକୀୟ ସେନା କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ତଲାସି ଅଭିଯାନ ଜାରି ରହିଛି। ବିଶେଷ କଥା ହେଉଛି, ରାଷ୍ଟ୍ରପତି ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧିତ କରି ଇରାନକୁ ସମ୍ପୂର୍ଣ୍ଣ ପରାସ୍ତ କରାଯାଇଥିବା ଦାବି କରିବାର ଠିକ୍ ଦୁଇ ଦିନ ପରେ ଏହି ଘଟଣା ଘଟିବା ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed, but trackbacks and pingbacks are open.