ଭାରତ ଅଭିମୁଖେ ଆସୁଥିବା ଇରାନୀ ତୈଳ ଟ୍ୟାଙ୍କର ଏବେ ଚୀନ୍‌ ମୁହାଁ

225

ନୂଆଦିଲ୍ଲୀ: ଇରାନରୁ ଅଶୋଧିତ ତୈଳ ଧରି ଭାରତ ଅଭିମୁଖେ ଆସୁଥିବା ଏକ ବିଶାଳ ଟ୍ୟାଙ୍କର ସମୁଦ୍ର ମଝିରେ ପଥ ପରିବର୍ତ୍ତନ କରି ଚୀନ୍ ଅଭିମୁଖେ ଯାଉଥିବା ଜଣାପଡ଼ିଛି। ‘ପିଙ୍ଗସୁନ’ (Pingshun) ନାମକ ଏହି ଟ୍ୟାଙ୍କରଟି ଗୁଜରାଟର ବଡିନାର ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଜାହାଜ ଟ୍ରାକିଂ ସଂସ୍ଥା ‘କେପଲର୍‌’ର ସୂଚନା ଅନୁଯାୟୀ, ଏହି ୨୦୦୨-ନିର୍ମିତ ଟ୍ୟାଙ୍କରଟି ଏବେ ଚୀନର ଡଙ୍ଗୟିଙ୍ଗ ବନ୍ଦର ଅଭିମୁଖେ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଟ୍ରମ୍ପ ପ୍ରଶାସନ ଏହି ଟ୍ୟାଙ୍କର ଉପରେ କଟକଣା ଲଗାଇଥିଲେ। ଯଦି ଏହି ଟ୍ୟାଙ୍କରଟି ଭାରତରେ ପହଞ୍ଚିଥାନ୍ତା, ତେବେ ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତକୁ ପ୍ରଥମ କରି ଇରାନୀ ତୈଳ ମିଳିଥାନ୍ତା। ତୈଳ କାରବାର ବା ପେମେଣ୍ଟକୁ ନେଇ କିଛି ବିବାଦ ଦେଖାଦେବାରୁ ଏହି ଜାହାଜଟି ଭାରତ ନ ଆସି ଚୀନ୍‌ ଅଭିମୁଖେ ଯାଇଥିବା ଅନୁମାନ କରାଯାଉଛି। ତେବେ ଏହି ତୈଳର ପ୍ରକୃତ କ୍ରେତା ଓ ବିକ୍ରେତାଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।୨୦୧୯ ମେ’ ମାସରେ ଇରାନ ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତ ତୈଳ ଆମଦାନୀ ବନ୍ଦ କରିଦେଇଥିଲା। ନିକଟରେ ଆମେରିକା କଟକଣାକୁ କୋହଳ କରିବା ପରେ ଭାରତ ପୁଣି ଥରେ ଇରାନରୁ ତୈଳ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ଇରାନର ‘ଖର୍ଗ ଦ୍ୱୀପ’ରୁ ତୈଳ ବୋଝେଇ କରି ଏହି ଟ୍ୟାଙ୍କରଟି ବାହାରିଥିଲା। ମାତ୍ର ପେମେଣ୍ଟ, ସିପିଂ ଏବଂ ବୀମା (Insurance) ସମ୍ବନ୍ଧୀୟ ଜଟିଳତା ଯୋଗୁଁ ଏହି ସମସ୍ୟା ଉପୁଜିଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ଭାରତ କିମ୍ବା ଇରାନ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

Comments are closed, but trackbacks and pingbacks are open.