ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଳୟଙ୍କରୀ ରୂପ ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଏବଂ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଗାମୀ ନଭେମ୍ବର ୩ ଏବଂ ୪ ତାରିଖ, ଅର୍ଥାତ୍ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଜିଲ୍ଲା ପ୍ରଶାସନର ଏହି କଡ଼ା ନିର୍ଦ୍ଦେଶ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ। ଛୁଟି ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଏବଂ ବାତ୍ୟା ମୁକାବିଲା ପାଇଁ ସେଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ଶ୍ରେଣୀଗୃହର ଚାବି ସ୍ଥାନୀୟ ଦାୟିତ୍ୱପ୍ରାପ୍ତ କର୍ତ୍ତୃପକ୍ଷ କିମ୍ବା ଶିକ୍ଷକଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ଶିକ୍ଷକମାନଙ୍କୁ ସର୍ବଦା ସତର୍କ ରହିବାକୁ ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ପ୍ରଶାସନିକ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ମୋବାଇଲ୍ ଫୋନ୍ ସବୁବେଳେ ଅନ୍ ଏବଂ ସକ୍ରିୟ ରଖିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
Comments are closed, but trackbacks and pingbacks are open.