ତାମିଲନାଡୁ ଗ୍ୟାସ୍‌ ଲିକ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୯

28

ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ଆଉ ଜଣେ ମହିଳା ଶ୍ରମିକ ପ୍ରାଣ ହରାଇବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ମିଶାଇ ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୯ ଜଣ ମହିଳାଙ୍କ ମୃତ୍ୟୁ ଘଟି ସାରିଲାଣି।  ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୂର୍ବରୁ ସୁବାସୀ ଜୁଆଙ୍ଗଙ୍କ ମୃତ୍ୟୁ ହୋଇଥିବା ସହ ଏବେ ରୀତା ଜୁଆଙ୍ଗଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଗ୍ୟାସ୍ ଲିକ୍ ଘଟଣାରେ ଗୁରୁତର ଅସୁସ୍ଥ ହୋଇ ୧୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସୁବାସୀଙ୍କ ସମେତ ଆଉ ଜଣେ ପ୍ରାଣ ହରାଇଥିବା ବେଳେ, ଅନ୍ୟ ୧୦ ଜଣଙ୍କ ଅବସ୍ଥା ଏବେ ମଧ୍ୟ ସଂକଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁ (ICU)ରେ ଭେଣ୍ଟିଲେଟର ସହାୟତାରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟପଟେ ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କ ମରଶରୀର ଓଡ଼ିଶା ଫେରାଇ ଆଣିବା ଏବଂ ସେଠାରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଏକ ୪ ଜଣିଆ ଅଧିକାରୀ ସ୍ତରୀୟ ଟିମ୍ ଚେନ୍ନାଇ ଗସ୍ତ କରିଛନ୍ତି।

Comments are closed, but trackbacks and pingbacks are open.