ମହାପ୍ରଭୁଙ୍କ ପଇତା ଲାଗି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ସନ୍ଧ୍ୟା ୬ରୁ ରାତି ୧୦ ଦର୍ଶନ ବନ୍ଦ

76

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ପରମ୍ପରା ଅନୁଯାୟୀ, ଚନ୍ଦନ ଯାତ୍ରା ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ‘ପଇତା ଲାଗି’ ନୀତି ସମ୍ପାଦିତ ହୋଇଥାଏ। ଏହି କ୍ରମରେ ଆଜି ବୈଶାଖ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ପଇତା ଲାଗି ଏକ ‘ଗୁପ୍ତ ନୀତି’ ହୋଇଥିବାରୁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ସେବା କାର୍ଯ୍ୟ ଆରମ୍ଭ ହେବ। ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ଏହି ଗୁପ୍ତ ନୀତି ସମ୍ପାଦନ କରିବେ। ପାଟରା ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟକୁ ମା’ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନରେ ବସି ପଇତା ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନକୁ ସୁରକ୍ଷା ଦେବା ପାଇଁ ଏହି ବାସୁଙ୍ଗା ପାଟ ନିର୍ମିତ ପଇତା ଲାଗି କରାଯାଏ। ପାଟରା ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ପଇତାକୁ ପ୍ରଥମେ ଦେଉଳ କରଣଙ୍କୁ ହସ୍ତାନ୍ତର କରାଯିବା ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବାର ପରମ୍ପରା ରହିଛି।

Comments are closed, but trackbacks and pingbacks are open.