ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

98

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଲୁହା ରଡରେ ନିସ୍ତୁକ ମାଡ଼ ମରାଯିବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ ବଡ଼ସାହି ଗାଁର କାମିନୀକାନ୍ତ ବେହେରା ଓରଫ ଟିକି। ସୂଚନା ଅନୁଯାୟୀ, ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଟିକି ସେଠାରେ ବୁଲାବୁଲି କରୁଥିଲେ। ଏହି ସମୟରେ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜର ଏବଂ ସୁରକ୍ଷାକର୍ମୀ ତାଙ୍କୁ ଚୋର ସନ୍ଦେହ କରି ଲୁହା ରଡରେ ବର୍ବର ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବଡ଼ସାହି ଥାନା ପୋଲିସ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Comments are closed, but trackbacks and pingbacks are open.