ମା’ଙ୍କ ଚିକିତ୍ସା ଓ ଚାକିରି ପାଇଁ ଦଣ୍ଡବତ ଯାତ୍ରା, ସିଏମଙ୍କୁ ଭେଟିବାକୁ ବାହାରିଲେ ରୁଦ୍ରନାଥ

30

ଢେଙ୍କାନାଳ: ୨୦୧୮ ମସିହାରେ ଓଏସଏପି ପ୍ରଥମ ବାଟାଲିୟନରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ ରୁଦ୍ରନାଥ | ତେବେ କୌଣସି ଉଚିତ କାରଣ ନ ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ । ଚାକିରି ହରାଇବା ପରେ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ମା’ ଗୁରୁତର ଅସୁସ୍ଥ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି। ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଏବଂ ନିଜର ଚାକିରି ଫେରାଇବା ଦାବିରେ ଦୁଇ ମାସ ପୂର୍ବେ ସେ ଏକ ମୋବାଇଲ୍ ଟାୱାର ଉପରକୁ ଚଢ଼ି ପ୍ରତିବାଦ କରିଥିଲେ। ସେତେବେଳେ ପ୍ରଶାସନ ତାଙ୍କୁ ଉଦ୍ଧାର କରିବା ସହ ତାଙ୍କ ଦାବି ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲା। କିନ୍ତୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ପ୍ରତିଶ୍ରୁତି ପୂରଣ ନ ହେବାରୁ ରୁଦ୍ରନାଥ ପୁଣିଥରେ ଅଭିନବ ପ୍ରତିବାଦର ପନ୍ଥା ଆପଣାଇଛନ୍ତି। ସେ ଦଣ୍ଡବତ କରି କରି ଭୁବନେଶ୍ୱର ଯାଉଛନ୍ତି, ଯାହାଦ୍ୱାରା ତାଙ୍କ ଦୁଃଖ ଓ ଦାବି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା ରଖିଛନ୍ତି। ରୁଦ୍ରନାଥ କହିଛନ୍ତି, “ଟାୱାରରୁ ତଳକୁ ଓହ୍ଲାଇବା ପରେ ପ୍ରଶାସନ ମୋତେ ଆଶ୍ୱାସନ ଦେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିନି। ମୋ ମା’ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତାଙ୍କର ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଯାଉ ଏବଂ ମୋତେ ପୁଣି ଚାକିରିରେ ଯୋଗଦାନର ସୁଯୋଗ ଦିଆଯାଉ।”

Comments are closed, but trackbacks and pingbacks are open.