ରଥଯାତ୍ରା ପାଇଁ ପୁରୀ ପ୍ରଶାସନର ‘ଡୁଆଲ୍ ମ୍ୟାନେଜମେଣ୍ଟ ପ୍ଲାନ୍’ ପ୍ରସ୍ତୁତି

73

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ପ୍ରଥମ ଥର ପାଇଁ ‘ସେଫ୍ ଓ ଇନସିଡେଣ୍ଟ ଫ୍ରି’ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ‘ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ’। ଏଥର ଉଭୟ ହିଟ୍‌ୱେଭ୍ ଏବଂ ମୌସୁମୀ ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଡବଲ ପ୍ରିପେୟାର୍‌ନେସ୍ କରାଯାଇଛି । ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହେବ ଜିରୋ ଡ୍ରାଉନିଂ ଏବଂ ଜିରୋ କାଜୁଆଲିଟି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ବ୍ଲୁ ପ୍ରିଣ୍ଟ । ଜରୁରୀକାଳୀନ ବିଭାଗକୁ ନେଇ ଅଗ୍ନିଶମ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ‘ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ’ ଉପରେ ମୋହର ବାଜିଛି । ରଥଯାତ୍ରା ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଭକ୍ତଙ୍କୁ ଆଶ୍ୱସ୍ତି ଦେବା ପାଇଁ ୧୮ରୁ ୨୦ଟି ସ୍ୱତନ୍ତ୍ର ଗାଡ଼ି ମାଧ୍ୟମରେ ବଡ଼ଦାଣ୍ଡରେ ପାଣି ସିଞ୍ଚନ କରାଯିବ । ଏଥିସହ ଅତ୍ୟାଧୁନିକ କ୍ଷମତାସମ୍ପନ୍ନ ବ୍ଲୋୟର୍ ମଧ୍ୟ ମୁତୟନ କରାଯିବ । ଯଦି ମୌସୁମୀ ବର୍ଷା ଯୋଗୁଁ ବଡ଼ଦାଣ୍ଡରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୁଏ, ତେବେ ମାତ୍ର ୧ ମିନିଟ୍‌ରେ ୪୨୦୦ ଲିଟର ଜଳ ନିଷ୍କାସନ କରିପାରୁଥିବା ଅତ୍ୟାଧୁନିକ ପମ୍ପ ବ୍ୟବହାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେବଳ ବଡ଼ଦାଣ୍ଡ ନୁହେଁ, ପୁରୀ ବେଳାଭୂମି ଉପରେ ମଧ୍ୟ ରହିଛି ସ୍ୱତନ୍ତ୍ର ନଜର । ସମୁଦ୍ରରେ ବୁଡ଼ିଯିବା ଭଳି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗର ୨୫ ଜଣ ଲାଇଫ୍ ଗାର୍ଡଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ନାନଯାତ୍ରା ପୂର୍ବରୁ ପ୍ରସ୍ତୁତ ରହିବ ୩୦୦ ୟୁନିଟ୍ ରକ୍ତ, ଯାହା ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରିବ । ମୁଖ୍ୟ ମେଡିକାଲର ନୂଆ ବିଲ୍ଡିଂରେ ୧୫୦ ଶଯ୍ୟା ଏବଂ ସଂକ୍ରାମକ ରୋଗ ଚିକିତ୍ସାଳୟରେ ଅତିରିକ୍ତ ୮୦ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି । ବଡ଼ଦାଣ୍ଡରେ ୩୦ଟି ଫାଷ୍ଟ ଏଡ୍ ସେଣ୍ଟର ସହ ୮ଟି ଅସ୍ଥାୟୀ ହସ୍ପିଟାଲ୍‌ରେ MBBS ଡାକ୍ତର ଉପସ୍ଥିତ ରହିବେ ।

Comments are closed, but trackbacks and pingbacks are open.