ଅକ୍ଟୋବର ଶେଷ ଆଡ଼କୁ ଲଘୁଚାପ ଆଶଙ୍କା

28

ଭୁବନେଶ୍ବର: ଅକ୍ଟୋବର ମାସର ଶେଷ ଭାଗରେ ଆସୁଥିବା ଏକ ସମ୍ଭାବ୍ୟ ଲଘୁଚାପକୁ ନେଇ ବାତ୍ୟା ଭୟ ସୃଷ୍ଟି ହୋଇଛି। ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଏକ ଲୋ’ ପ୍ରେସର ସୃଷ୍ଟି ହେବାକୁ ଯାଉଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷରେ, ଘରୋଇ ପାଣିପାଗ ସଂସ୍ଥା ‘ୱିଣ୍ଡି’ର ମଡେଲ୍ ଆକଳନ ଅନୁଯାୟୀ, ୨୬ ଏବଂ ୨୭ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ ଏବଂ ଏହାର ପ୍ରଭାବ ବିଶାଖାପାଟଣା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପଡ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଏହା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତ୍ତୀ ୩ ଦିନରେ ଅଧିକ ଶକ୍ତିଶାଳୀ ହେବ ବୋଲି ଆକଳନ କରାଯାଇଛି। ତଥାପି, ଏହା କେତେ ପରିମାଣରେ ଶକ୍ତିଶାଳୀ ହେବ ଏବଂ ଏହାର ପ୍ରକୃତ ପ୍ରଭାବ କିପରି ରହିବ, ସେନେଇ ଆନୁଷ୍ଠାନିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Comments are closed, but trackbacks and pingbacks are open.