ଇଟାଲୀରେ କଠୋର ଆଇନ: ହିଂସା କଲେ ୫ ବର୍ଷ ଜେଲ୍

22

ନୂଆଦିଲ୍ଲୀ: ଇଟାଲୀରେ ହିଂସାତ୍ମକ ପ୍ରଦର୍ଶନ, ଦୋକାନ ଲୁଟ୍‌ପାଟ୍‌ ଏବଂ ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ଘଟଣାକୁ ରୋକିବା ପାଇଁ ସରକାର ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ନିୟମ ଅନୁସାରେ, ହିଂସାକାଣ୍ଡରେ ଭାଗ ନେଇ ସାଧାରଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଏବଂ ୨୦ ହଜାର ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୨୧ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଜରିମାନା କରାଯିବ। ସେହିପରି ନାବାଳକମାନେ ଭଙ୍ଗାରୁଜା କିମ୍ବା ଲୁଟ୍‌ପାଟ୍‌ ଭଳି କାଣ୍ଡରେ ସାମିଲ ହେଲେ ସେମାନଙ୍କ ଅଭିଭାବକଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସରକାର ଏହି ନୂଆ ସୁରକ୍ଷା ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଉତ୍ତର ଇଟାଲୀର ବିଭିନ୍ନ ସହର, ବିଶେଷକରି ମିଲାନରେ ଗତ ସପ୍ତାହାନ୍ତରେ ହୋଇଥିବା ବ୍ୟାପକ ହିଂସାକାଣ୍ଡ ପରେ ସରକାର ଏହି କଡ଼ା ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମେଲୋନି ସ୍ପଷ୍ଟ କରିଛନ୍ତି ଯେ ଭଙ୍ଗାରୁଜା ଓ ଚୋରି ଭଳି ଅପରାଧକୁ କୌଣସି ପରିସ୍ଥିତିରେ ଆନ୍ଦୋଳନର ଆଖ୍ୟା ଦିଆଯାଇପାରିବ ନାହିଁ ଏବଂ ଏହାର ଜବାବ ଦୃଢ଼ ଭାବେ ଦିଆଯିବ। ଗତ ଅକ୍ଟୋବର ୧୭ ଏବଂ ୧୮ ତାରିଖରେ ମିଲାନରେ ଅନୁଷ୍ଠିତ ପ୍ରଦର୍ଶନ ସମୟରେ ଉତ୍ତ୍ୟକ୍ତ ଯୁବକମାନେ ଦୋକାନର କାଚ ଭାଙ୍ଗିବା, ସାମଗ୍ରୀ ଲୁଟିବା ସହ ଗାଡ଼ିଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ଏହି ଅବସରରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଘଟିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍‌ ଏବଂ ପାଣିମାଡ଼ର ସାହାଯ୍ୟ ନେବାକୁ ପଡ଼ିଥିଲା। ଉକ୍ତ ଦୁଇ ଦିନିଆ ହିଂସାକାଣ୍ଡରେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.