ଭୁବନେଶ୍ବର: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ପୁଣିଥରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ଭାରତୀୟ ବନ୍ଦରରେ ପହଞ୍ଚିଛି ବୃହତ୍ ତୈଳ ଟ୍ୟାଙ୍କର। ଆମେରିକାର କଟକଣା କୋହଳ ପରେ ପାରାଦ୍ୱୀପ ବନ୍ଦରରେ ପ୍ରଥମ ସରକାରୀ ତୈଳ ଟ୍ୟାଙ୍କର ଜାହାଜ ‘ଜୟା’ ଲାଗିଛି। ଏହି ଜାହାଜରେ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ପାଇଁ ପ୍ରାୟ ୨ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆସିଛି। ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକାର ଅସ୍ଥାୟୀ କଟକଣା ଛାଡ଼ ପରେ ଇରାନରୁ ଏହି ଆମଦାନୀ ସମ୍ଭବ ହୋଇଛି। ‘ଜୟା’ ପାରାଦ୍ୱୀପରେ ପହଞ୍ଚିଥିବା ବେଳେ ‘ଫେଲିସିଟି’ ନାମକ ଅନ୍ୟ ଏକ ଜାହାଜ ଗୁଜୁରାଟର ଶିକ୍କା ବନ୍ଦରରେ ପହଞ୍ଚିଛି। ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ବୀପ’ରୁ ଏହି ତେଲ ବୋଝେଇ କରାଯାଇଥିଲା। IOCL ପାରାଦ୍ୱୀପ ୟୁନିଟର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି। ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ପୂର୍ବରୁ ଅର୍ଥାତ୍ ଫେବୃଆରୀ ଶେଷ ଆଡ଼କୁ ଏହି ଜାହାଜ ତେଲ ଧରି ଭାରତ ଅଭିମୁଖେ ବାହାରିଥିଲା। ୭ ବର୍ଷ ପରେ ଇରାନରୁ ତେଲ ଆସିବା ଭାରତର ଶକ୍ତି ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
Comments are closed, but trackbacks and pingbacks are open.