ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ଘଟିଥିବା ସାମୂହିକ ଝାଡ଼ାବାନ୍ତି ଘଟଣାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କକାବନ୍ଧ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଗତ ଦୁଇ ଦିନ ତଳେ ହଷ୍ଟେଲରେ ପଖାଳ ଭାତ ଖାଇବା ପରେ ୧୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜଣେ ଛାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁ (ICU) ରେ ରଖାଯାଇଥିଲା, ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଅତିରିକ୍ତ ଜିଲ୍ଲାପାଳ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ମୃତ ଛାତ୍ରୀଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଖାଦ୍ୟ ବିଷାକ୍ତ ହେବା ପଛର ପ୍ରକୃତ କାରଣ ଓ ଏଥିପାଇଁ କିଏ ଦାୟୀ, ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି।
Comments are closed, but trackbacks and pingbacks are open.