ନଭେମ୍ବର ୨ରୁ ମାଟ୍ରିକ ଫର୍ମପୂରଣ

18

କଟକ: ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟା ଆସନ୍ତା ନଭେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବୁଧବାର ଦିନ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ବର୍ଗର ପରୀକ୍ଷାର୍ଥୀମାନେ ନିଜର ଫର୍ମପୂରଣ କରିପାରିବେ। ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ କିମ୍ବା ପ୍ରଧାନଶିକ୍ଷୟିତ୍ରୀମାନେ କେବଳ ଅନଲାଇନ ମାଧ୍ୟମରେ ହିଁ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ କରିବେ। ତେବେ ପତ୍ରବିନିମୟ ପାଠ୍ୟକ୍ରମର ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅଫଲାଇନରେ ଫର୍ମପୂରଣ ହେବ, ଯାହା ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟର ଉପ-ସମ୍ପାଦକମାନଙ୍କ ଦ୍ୱାରା ପରିଚାଳିତ ହେବ। ଏ ସମ୍ପର୍କିତ ସମସ୍ତ ସବିଶେଷ ତଥ୍ୟ ଓ ମାର୍ଗଦର୍ଶିକା ବୋର୍ଡର ଆଫିସିଆଲ ୱେବସାଇଟରେ ଉପଲବ୍ଧ କରାଯାଇଛି।

Comments are closed, but trackbacks and pingbacks are open.