ମେଘାଳୟରେ ୟୁଡିପିକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୮ ବିଧାୟକ

120

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ରାଜନୀତିରେ ଏକ ବଡ଼ ଧରଣର ଘଟଣାକ୍ରମ ଦେଖିବାକୁ ମିଳିଛି। ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି)ର ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ପଦ୍ମ ଧରିଛନ୍ତି। ଖଲିହିୟାତ ବିଧାୟକ କିୟରମେନ୍ ଶ୍ୟାଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ ନୂଆଦିଲ୍ଲୀଠାରେ ବିଜେପି ନେତୃତ୍ୱଙ୍କୁ ଭେଟି ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କୋଇଲା ଖଣି ସମସ୍ୟା ଏବଂ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ‘ଖାସି’ ଭାଷାକୁ ସାମିଲ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ସେମାନଙ୍କୁ ସକାରାତ୍ମକ ପ୍ରତିଶ୍ରୁତି ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ପୂର୍ବତନ ବିଧାୟକ ତଥା ୟୁଡିପି ନେତା ଡକ୍ଟର ଜେମିନୋ ମାୱଥୋହ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ପୂର୍ବରୁ ବିଜେପିର ମାତ୍ର ୨ ଜଣ ବିଧାୟକ ଥିଲେ। ଏବେ ପ୍ରମୁଖ ଆଞ୍ଚଳିକ ଦଳ ୟୁଡିପିର ୮ ଜଣ ବିଧାୟକ ଦଳରେ ମିଶିବା ପରେ ମେଘାଳୟ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚିଛି, ଯାହା ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

Comments are closed, but trackbacks and pingbacks are open.