ନୂଆଦିଲ୍ଲୀ: ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ବିଶ୍ୱସ୍ତରୀୟ ଆହ୍ୱାନ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଶନିବାର ବିଶାଖାପାଟଣା ନେଭାଲ ଡକୟାର୍ଡଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ ‘INS ମହେନ୍ଦ୍ରଗିରି’ (F-38) କୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। INS ମହେନ୍ଦ୍ରଗିରି ହେଉଛି ଏକ ‘ନୀଳଗିରି-କ୍ଲାସ’ ଷ୍ଟିଲ୍ଥ ଯୁଦ୍ଧପୋତ। ଏହାକୁ ଇଣ୍ଡିଆନ୍ ନେଭିର ‘ୱାରସିପ୍ ଡିଜାଇନ୍ ବ୍ୟୁରୋ’ ଦ୍ୱାରା ଡିଜାଇନ୍ କରାଯାଇଥିବା ବେଳେ ମୁମ୍ବାଇର ‘ମାଝାଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍’ (MDL) ଏହାର ନିର୍ମାଣ କରିଛି। ବିଶେଷ କଥା ହେଉଛି, ଏହି ଯୁଦ୍ଧପୋତରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହା ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ବହୁମାତ୍ରାରେ ହ୍ରାସ କରିଛି।
Comments are closed, but trackbacks and pingbacks are open.