ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁମାର ମଙ୍ଗଳମ ବିର୍ଲା, ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି

15

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କ ସହ ଭେଟି କମ୍ପାନୀର ବର୍ତ୍ତମାନ ଓ ପ୍ରସ୍ତାବିତ ନିବେଶ ନେଇ ଆଲୋଚନା କରିଥିଲେ। ବୈଠକରେ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲ ଅନ୍ତର୍ଗତ କଂସାରୀଗୁଡ଼ାରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ନିର୍ମାଣାଧୀନ ଗ୍ରୀନଫିଲ୍ଡ ଆଲୁମିନା ରିଫାଇନାରୀର ସମ୍ପ୍ରସାରଣ ପ୍ରସ୍ତାବ ରଖାଯାଇଥିଲା। ପ୍ରାରମ୍ଭରେ ଏହି ପ୍ରକଳ୍ପ ୧ ମିଲିୟନ ଟନ ବାର୍ଷିକ କ୍ଷମତା ଏବଂ ପ୍ରାୟ ୮,୦୦୦ କୋଟି ଟଙ୍କା ବିନିଯୋଗ ସହ ଯୋଜନା କରାଯାଇଥିଲା। ବର୍ତ୍ତମାନ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ନିବେଶ ମାଧ୍ୟମରେ ଆଉ ୨ MTPA କ୍ଷମତା ବୃଦ୍ଧି କରାଯିବ। ଏହାଫଳରେ ରିଫାଇନେରୀର ମୋଟ କ୍ଷମତା ୩ MTPAକୁ ବୃଦ୍ଧି ପାଇବ। ମୋଟ ପୁଞ୍ଜିନିବେଶ ପ୍ରାୟ ୨୦,୦୦୦ କୋଟି ଟଙ୍କାରେ ପହଞ୍ଚିବ। ଏହି ମେଗା ପ୍ରକଳ୍ପ ଦ୍ୱାରା ସିଧାସଳଖ ଓ ପରୋକ୍ଷ ଭାବେ ବହୁ ସଂଖ୍ୟକ ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଉଦ୍ୟୋଗ, ସେବା ପ୍ରଦାନକାରୀ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ ପାଇଁ ନୂଆ ସୁଯୋଗଦେବ। ପ୍ରସ୍ତାବକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଖଣିଜ ସମ୍ପଦକୁ ଅଧିକ ମୂଲ୍ୟ ସଂଯୋଜନ, ଉନ୍ନତ ଉତ୍ପାଦନ ଓ ଗୁଣବତ୍ତାପୂର୍ଣ୍ଣ ନିଯୁକ୍ତିରେ ରୂପାନ୍ତରିତ କରିବା ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣରେ ଆଲୁମିନିୟମ୍ ଶିଳ୍ପ ଏକ ମୁଖ୍ୟ ଭୂମିକା ନିଭାଇବ । ଜମି, ଭିତ୍ତିଭୂମି, ବିଦ୍ୟୁତ, ପାଣି, ଆବଶ୍ୟକ ସରକାରୀ ଅନୁମୋଦନ ଓ ଅନ୍ୟାନ୍ୟ ସୁବିଧା ସମନ୍ୱିତ ଭାବେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Comments are closed, but trackbacks and pingbacks are open.