ପଞ୍ଜାବ ରେ ଲୋହଡୀ ବା ମକର ସଂକ୍ରାନ୍ତି କେମିତି ପାଳନ କରାଯାଏ

45

ଉତ୍ତର ଭାରତ ବା ଶିଖ ଏବଂ ପଂଜାବୀ ଓ ହାରିଅଣା ବାସୀଙ୍କ ପାଇଁ ଲୋହଡୀର ବିଶେଷ ମହତ୍ତ୍ୱ ରହିଛି I ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥାଏ I ଏବଂ ପୌଷ ଶେଷ ବେଳକୁ ପ୍ରାୟ କୃଷି କାର୍ଯ୍ୟ ସମାପ୍ତ ହୋଇ ଯାଇଥିବାରୁ ଏହି ରାଜ୍ୟ ଗୁଡିକରେ ଖୁବ ଧୁମଧାମ ରେ ଲୋହଡୀ ପର୍ବ ପାଳନ କରାଯାଇଥାଏ I ପୌଷ ମାସର ଶେଷ ରାତିରେ ଲୋହଡୀ ଜଳା ଯାଇ ଏବଂ ମାଘ ସଂକ୍ରାନ୍ତି ସକାଳ ପର୍ଯ୍ୟନ୍ତ ଚାଲିଥାଏ I ଚଳିତ ବର୍ଷ ଏହି ପର୍ବ ୧୪ ଜାନୁୟାରୀ ଶନିବାର ଏବଂ ଜାନୁୟାରୀ ୧୫ ରବିବାର ଦୁଇ ଦିନ ଧରି ପାଳନ କରାଯିବ I ଲୋହଡୀ ପର୍ବ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୁଏ I ଲୋହରୀ ପରେ ଦିନ ବଢିବା ସହିତ ରାତି ଛୋଟ ହୋଇଥାଏ I କାରଣ ଏହି ଦିନ ଠାରୁ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି I

ଲୋହଡୀ ପର୍ବ ପଞ୍ଜାବୀମାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖିଛି I ଯେଉଁ ପରିବାର ମାନଙ୍କରେ ନୂତନ ବିବାହ କିମ୍ବା ସନ୍ତାନ ଜନ୍ମ ହୋଇଥାନ୍ତି , ସେମାନଙ୍କୁ ଲୋହଡୀର ବିଶେଷ ଅଭିନନ୍ଦନ ଜଣା ଯାଏ I ପରିବାରକୁ ନବବଧୂ ଆସିଲେ କିମ୍ବା ଶିଶୁର ପ୍ରଥମ ଲୋହଡୀ ଘରେ ବହୁତ ଗୁରୁତ୍ୱ ଦେଇଥାଏ I ଏମାନଙ୍କୁ ଘରେ ବା ପରିବାର ସଦସ୍ୟ ଏବଂ ବନ୍ଧୁ ବାନ୍ଧବ ମାନେ ସେହିଦିନ ଘରକୁ ଆସି ନୂତନ ବସ୍ତ୍ର କିମ୍ବା ଗହଣା ଇତ୍ୟାଦି ଉପହାର ବା ଲୋହଡୀ ଭେଟି ଦେଇଥାନ୍ତି I ସେହିପରି ଯଦି ପରିବାରରୁ ଝିଅ ବିବାହ କରି ଯାଇଥାଏ ,ଏହିଦିନ ଝିଅ ଜ୍ୱାଇଁଙ୍କୁ ବିଶେଷ ନିମନ୍ତ୍ରଣ ଦେଇ ଘରକୁ ଡକା ଯାଇଥାଏ I ଏବଂ ଘରେ ଯଥାସାଧ୍ୟ ଖୁସି ଉତ୍ସବ ମନାଇବା ସହିତ ସମ୍ମାନିତ କରାଯାଇଥାଏ I ସେହିପରି ଘରର ଝିଅ ମାନଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେବା ପାଇଁ ଏହି ପର୍ବ ପାଳନ କରାଯାଏ I ଯଦି ଏହି ସମୟରେ ଘରର କାହାର ପ୍ରଥମ ଝିଅ ଜନ୍ମ ହୁଏ ସେହି ପିତା ମାତାଙ୍କୁ ବିଶେଷ ସମ୍ମାନ ଦିଆଯାଏ I

ଲୋହରୀରେ ଘର ବୁଲି ବୁଲି ଦୁଲା ଭଟ୍ଟୀ ଏବଂ ଅନ୍ୟାନ୍ୟ ଗୀତ ଗାଇବାର ପରମ୍ପରା ରହିଛି। ଏହି ଧାରା ପଂଜାବୀ ମାନଙ୍କର ଏକ ପ୍ରଚଳିତ ପରମ୍ପରା I ପିଲାମାନେ ଲୋହଡୀ (କାଠ) ସଂଗ୍ରହ କରିବାକୁ ଘର ଘରକୁ ଯାଆନ୍ତି ଏବଂ ସେମାନଙ୍କୁ ଖାଲି ହାତରେ ଫେରାଇ ଦିଆଯାଏ ନାହିଁ I ସେଥିପାଇଁ ସେମାନଙ୍କୁ ଗୁଡ଼ , ବାଦାମ, ରାଶି,ଇତ୍ୟାଦି ଦିଆ ଯାଏ I ଦିନସାରା ଘର ଘର ବୁଲି କାଠ ସଂଗ୍ରହ କରାଯାଏ I ସନ୍ଧ୍ୟାରେ ଘର ଚାରିପାଖରେ ଥିବା ଖୋଲା ସ୍ଥାନରେ ଏଥିରେ ନିଆଁ ଜଳାଯାଏ I ଏହା ଚାରିପଟେ ଲୋହଡୀ ଗୀତ ଗାଈ ଗାଈ ମହିଳା ଓ ପୁରୁଷ ମାନେ ବୁଲି ଥାନ୍ତି ଇ ସେହି ସମୟରେ ଅଗ୍ନିରେ ରାଶି,ଗୁଡ଼ ମକ୍କା ମଞ୍ଜି, ଆଖୁ ଖଣ୍ଡ ବା ଅନ୍ୟାନ୍ୟ ଅମଳ ହୋଇଥିବା ପ୍ରଥମ ଫସଲ କୁ ଭୋଗ ଭାବରେ ଦିଆଯାଏ I ଲୋହଡୀ ଜାଳିବା ସମୟରେ ପଞ୍ଜାବୀ ମାନେ ଭାଙ୍ଗଡା ନାଚି ଥାନ୍ତି I

ଲୋହଡୀ ସୂର୍ଯ୍ୟ ଏବଂ ଅଗ୍ନି ସହିତ ଜଡିତ

ଲୋହଡୀ ପର୍ବ ବିଶେଷକରି କୃଷି ସହିତ ଜଡିତ I ଏହି ସମୟରେ ଫସଲ ଅମଳ ହୋଇ ସାରିଥାଏ I ପାରମ୍ପାରିକ ଭାବରେ, ଲୋହଡୀର ଏହି ପର୍ବ ଅମଳ ଏବଂ ନୂତନ ଫସଲ ବୁଣିବା ସହିତ ଜଡିତ Iଲୋହଡୀ ନିଆଁରେ ନୂଆ ବିରି , ମୁଗ , ଚିନା ବାଦାମ , ରାଶି ଓ ଗୁଡ଼ ଇତ୍ୟାଦି ଅର୍ପଣ କରାଯାଇଥାଏ Iବିଶ୍ୱାସ କରାଯାଏ ଯେ ଏହିପରି ଭାବରେ ଶିଖ ସମ୍ପ୍ରଦାୟ ସୂର୍ଯ୍ୟ ଭଗବାନ ଏବଂ ଅଗ୍ନି ଦେବଙ୍କୁ କୃତଜ୍ଞତା ଜଣାନ୍ତି। ତାଙ୍କ ଅନୁଗ୍ରହରେ ଫସଲ ଭଲ ହେବାସହିତ ଘରେ ସୁଖ ସମୃଦ୍ଧି ଭରି ରହିଥାଏ ଇ

ଲୋହଡୀ ର ସମ୍ବନ୍ଧ ମାତା ସତୀଙ୍କ ସହିତ ମଧ୍ୟ ଜଡିତ I ଯେତେବେଳେ ରାଜା ଦକ୍ଷ ଭଗବାନ ଶିବଙ୍କୁ ଅପମାନିତ କଲେ, ମାତା ସତୀ ନିଜକୁ ହବନ୍ କୁଣ୍ଡରେ ନିଜକୁ ସମର୍ପଣ କରିଥିଲେ I ଏହା ପରେ ଗର୍ବରେ ପରିପୂର୍ଣ୍ଣ ଥିବା ରାଜା ଦକ୍ଷଙ୍କର ମସ୍ତକ ଛେଦନ କରିଥିଲେ ଭଗବାନ ଶିବ I ଯେତେବେଳେ ଦକ୍ଷ ନିଜର ଭୁଲ ବୁଝି ପାରିଲେ ସେ ଭଗବାନ ଶିବଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ I ଏହାପରେ ବ୍ରହ୍ମାଙ୍କ ଅନୁରୋଧ କ୍ରମେ ତାଙ୍କ ଭଗବାନ ଶିବ,ଦକ୍ଷଙ୍କ ମୁଣ୍ଡ କଟା ଶରୀରରେ ଛେଳିର ମୁଣ୍ଡ ଲଗାଇଥିଲେ । ଏହା ପରେ, ଯେତେବେଳେ ମାତା ସତୀ ପାର୍ବତୀ ରୂପରେ ଜନ୍ମଗ୍ରହଣ କରିଥିଲେ, ସେତେବେଳେ ଲୋହଡୀ ଅବସରରେ ଦକ୍ଷ ପ୍ରଜାପତି ମାତା ପାର୍ବତୀଙ୍କୁ ଉପହାର ପଠାଇ କ୍ଷମା ମାଗିଥିଲେ ଏବଂ ନିଜ ଭୁଲ ପାଇଁ ପଶ୍ଚାତାପ କରିଥିଲେ । ସେବେଠାରୁ ଉତ୍ତର ଭାରତରେ ଲୋହଡୀ ଅବସରରେ ନବ ବିବାହିତକନ୍ୟା ମାନଙ୍କ ଘରକୁ ଉପହାର ପଠାଇବା ପରମ୍ପରା ପ୍ରଚଳିତ ହୋଇ ଆସୁଛି I

Comments are closed, but trackbacks and pingbacks are open.