ସରକାରୀ ସ୍କୁଲ୍ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍‌

35

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଶିଶୁ ବାଟିକାରୁ ପ୍ରାରମ୍ଭ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନୂଆ ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ନୂଆ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷା ସାମଗ୍ରୀ ସହାୟତା ଯୋଗାଇବା ଏବଂ ବିଦ୍ୟାଳୟ ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC)ମାନଙ୍କୁ ଆନୁଷ୍ଠାନିକ ଚିଠି ଜାରି କରାଯାଇ ନିର୍ଦ୍ଦେଶ ଦିଆଯାଇଛି। ଓସେପା ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ପିଲାମାନଙ୍କ ବୟସ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଟି ଭିନ୍ନ ସାଇଜ୍‌ର ବ୍ୟାଗ୍ ପ୍ରସ୍ତୁତ କରାଯାଇଛି। ଶିଶୁ ବାଟିକା (ପ୍ରାକ୍-ପ୍ରାଥମିକ) ଏବଂ ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ଏହି ବ୍ୟାଗ୍ ଦିଆଯିବ। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅପେକ୍ଷାକୃତ ବଡ଼ ସାଇଜ୍‌ର ବ୍ୟାଗ୍‌ ବ୍ୟବସ୍ଥା କରାଯାଇଛି।

Comments are closed, but trackbacks and pingbacks are open.