ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ଦିନ (ଗୋଟିଏ ସପ୍ତାହ) ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରି ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଗତ ଜୁନ୍ ୨୨ ତାରିଖରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ସରକାରୀ ସାଇନ୍ବୋର୍ଡ ଓ ନାମଫଳକଗୁଡ଼ିକରେ ସଂଶୋଧିତ ଇଂରାଜୀ ବନାନ ଲଗାଇବାକୁ ଗୋଟିଏ ମାସର ମହଲତ୍ ଦିଆଯାଇଥିଲା। ହେଲେ ଏବେ ବି କେତେକ ସରକାରୀ କାର୍ଯ୍ୟାଳୟରେ ‘Jeypore’ ଓ ‘Soro’ ପରି ପୁରୁଣା ଇଂରାଜୀ ବନାନ ବ୍ୟବହାର ହେଉଥିବା ସରକାରଙ୍କ ନଜରକୁ ଆସିଛି। ଏହାଦ୍ୱାରା ସରକାରୀ ନଥିପତ୍ର ଓ ନାମକରଣରେ ଅସଙ୍ଗତି ସୃଷ୍ଟି ହେଉଥିବାରୁ ତୁରନ୍ତ ଏଗୁଡ଼ିକୁ ହଟାଇ ‘Jayapur’, ‘Sora’, ‘KATAKA’, ‘Anugola’, ‘Baleshwar’ ଓ ‘Kendrapada’ ଭଳି ସରକାରୀ ଅନୁମୋଦିତ ବନାନ ବ୍ୟବହାର କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସମସ୍ତ ସରକାରୀ ଦପ୍ତରର ସାଇନ୍ବୋର୍ଡ ସମୀକ୍ଷା କରିବା ସହ ବେସରକାରୀ ଓ ସେମି-ଗଭର୍ଣ୍ଣମେଣ୍ଟ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ନିର୍ଦ୍ଧାରିତ ସମୟସୀମା (୬ ମାସ) ମଧ୍ୟରେ ଏହି ସଂଶୋଧିତ ବନାନ ଗ୍ରହଣ କରିବାକୁ ଉତ୍ସାହିତ କରିବେ। ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏକ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed, but trackbacks and pingbacks are open.