ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦକ୍ଷ ନେତୃତ୍ୱରେ ରାଜ୍ୟରେ ପ୍ରଗତିର ଚକ ଦ୍ରୁତଗତିରେ ଆଗକୁ ବଢୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ମହାପୁରୁଷମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରଶଂସନୀୟ ଉଦ୍ୟମ କରିଥିବା ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ୬୮ତମ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ମୟୂରଭଞ୍ଜର ଝିଅ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଆସନରେ ଅଧିଷ୍ଠିତ ହୋଇଥିବାରୁ ଗର୍ବ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଜ ଗାଁ ପାହାଡ଼ପୁର ଗସ୍ତ କରି ସେଠାରେ ସେ ପ୍ରତିଷ୍ଠା କରିଥିବା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିଥିବାରୁ ସେ ବେଶ୍ ଆହ୍ଲାଦିତ ବୋଲି କହିଛନ୍ତି। ପିଲାମାନେ ରାଷ୍ଟ୍ରପତିଙ୍କୁ ନିଜର ମାଆ ବୋଲି ସମ୍ବୋଧନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗ୍ରାମକୁ ଏକ ସମ୍ପୂର୍ଣ୍ଣ ‘ସୂର୍ଯ୍ୟଗ୍ରାମ’ (ସୌରଶକ୍ତି ସମ୍ପନ୍ନ ଗ୍ରାମ) ଭାବେ ଗଢ଼ିତୋଳିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯାହାଦ୍ୱାରା ସ୍ଥାନୀୟ ଲୋକେ ମାଗଣା ବିଦ୍ୟୁତ ସେବା ପାଇପାରିବେ।
Comments are closed, but trackbacks and pingbacks are open.