ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହାପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ୨ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡକୁ ଗତି କରିପାରେ। ପାଣିପାଗ ଆକଳନ ଅନୁସାରେ, ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ନୂଆ ଘୂର୍ଣ୍ଣିବଳୟର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇପାରେ। କିଛି ସ୍ଥାନରେ ବର୍ଷା, ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବାତ୍ୟା ‘ଅର୍ଣ୍ଣବ’ ପରେ ଜାରି ରହିଥିବା ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା ଲାଗି ରହିଛି। ଶୁକ୍ରବାର ବର୍ଷା ପରିମାଣ କମିଥିଲେ ମଧ୍ୟ ସାରା ରାଜ୍ୟରେ ବର୍ଷିଛି। ୨୬ଟି ସ୍ଥାନରେ ପ୍ରବଳ ବର୍ଷା ଓ ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ‘ଅର୍ଣ୍ଣବ’ ଇତିମଧ୍ୟରେ ଦୁର୍ବଳ ହୋଇ ଲଘୁଚାପ ସ୍ଥିତିକୁ ଫେରିବା ସହ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶା ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।
Comments are closed, but trackbacks and pingbacks are open.