ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ

10

ଖଲ୍ଲିକୋଟ: ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବେଳେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପୁରୁଷୋତ୍ତମପୁର ବ୍ଲକ୍‌ରେ କରାଯାଇଛି ଆକ୍ରମଣ। ଉତ୍ତେଜିତ ଲୋକେ ତାଙ୍କୁ ଠେଲାପେଲା କରିଥିଲେ। ଏମିତିକି ଜଣେ ବ୍ୟକ୍ତି ତାଙ୍କ ବେକରେ ଗାମୁଛା ପକାଇ ତାଙ୍କୁ ଟାଣିବାକୁ ପ୍ରୟାସ କରିଥିଲେ। ତେବେ ଉପସ୍ଥିତ କିଛି ଲୋକ ଓ ସୁରକ୍ଷାକର୍ମୀମାନେ ବିଧାୟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତା’ପରେ ବିଧାୟକ ନିଜ ଗାଡ଼ି ଭିତରେ ଯାଇ ବସିଥିଲେ।ବିଧାୟକ ଶ୍ରୀ ସେଠୀ କହିଛନ୍ତି ଯେ, କୁମ୍ଭାରୀ ଗାଁରେ କିଛି ଲୋକ ରୁଣ୍ଡ ହୋଇଥିଲେ। କ’ଣ ହୋଇଛି, ଜାଣିବା ପାଇଁ ସେ କାର୍‌ରୁ ଓହ୍ଲାଇଥିଲେ। ସେମାନଙ୍କ ଗାଁରେ ଟ୍ରାନ୍ସଫର୍ମରରେ ପାଣି ପଶିଯାଇଛି। ନୂଆ ଟ୍ରାନ୍ସଫର୍ମର ବସାଇବା ପାଇଁ ସେମାନେ ଦାବି କରିଥିଲେ। ସେଠାରେ ବିଭିନ୍ନ ପ୍ରକାରର ଲୋକ ଉପସ୍ଥିଥିଲେ। ତେଣୁ କିଏ କାହାକୁ ଉସକାଇ ଦେଇଛନ୍ତି। ବୁଢ଼ା ଲୋକଟିଏ ଏମିତି କରିଥିଲେ। ସେ ନିହାତି ମଦ ପିଇଥିଲେ। ଲୋକଙ୍କର ବର୍ତ୍ତମାନ ଦୁଃଖର ସମୟ। ବହୁତ ଲୋକ ଦୁଃଖରେ ଅଛନ୍ତି । ତେଣୁ କିଏ କ’ଣ କରିଦେଲା, ସେଇଟା ଏତେ ବଡ଼ କଥା ନୁହେଁ। ଏସବୁ କଥାକୁ ଧରିଲେ ରାଜନୀତି କରି ହେବ ନାହିଁ। ସୂଚନାଯୋଗ୍ୟ, ବାତ୍ୟା ଅର୍ଣ୍ଣବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ପ୍ରବଳ ବର୍ଷା ଯୋଗୁ ଋଷିକୁଲ୍ୟା ନଦୀରେ ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ୨୪୨ଟି ପଂଚାୟତ, ୩୮୬ଟି ଗାଁ ଓ ୧୦୬ଟି ସହରାଂଚଳ ୱାର୍ଡକୁ ଅଧିକ ପ୍ରଭାବିତ କରିଛି।

Comments are closed, but trackbacks and pingbacks are open.