ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ ସ୍କୁଲ କିରାଣୀ

16

କେନ୍ଦ୍ରାପଡ଼ା: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସରକାରୀ ସ୍କୁଲ କିରାଣୀଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର କିରାଣୀ ରମେଶ ଚନ୍ଦ୍ର ରାଉତ । ପୋଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ୧୪ ତାରିଖ ସନ୍ଧ୍ୟାରେ ଛାତ୍ରୀ ଜଣକ ଟିଉସନ ସାରି ଏକୁଟିଆ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ରମେଶ ତାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିବା ସହ ଟଣାଓଟରା କରିଥିଲେ। ସେହି ସମୟ ରେ ଅନ୍ୟ ଜଣେ ଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଘଟଣା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ନଂ ୪୮୨/୨୦୨୬ ରୁଜୁ କରିବା ସହ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୨୬(୨), ୭୪, ୧୧୫(୨) ଓ ପୋକ୍ସୋ ଆଇନର ଧାରା ୧୨ ଅନୁଯାୟୀ ଅଭିଯୁକ୍ତ ରମେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ସ୍ଥିତ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।

Comments are closed, but trackbacks and pingbacks are open.