ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍‌କ୍ଷେପଣ, ମହାକାଶକୁ ଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଲେଖା ବାର୍ତ୍ତା

13

ଶ୍ରୀହରିକୋଟା: ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍‌କ୍ଷେପଣ କରିଛି । ରକେଟ୍‌ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଛି । ଏହି ମାନବବିହୀନ ରକେଟ୍ ନିଜ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ‘ବନ୍ଦେ ମାତରମ୍’ ବାର୍ତ୍ତା ସହିତ ଏହି ମିଶନରେ ଥିବା ଦଳର ସଦସ୍ୟ, ନିବେଶକ, ନୀତି-ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ଶୁଭେଛୁଙ୍କ ବାର୍ତ୍ତା ମଧ୍ୟ ସାମିଲ ହୋଇଛି । କମ୍ପାନି ଏହି ଅଭିଯାନକୁ ‘ମିଶନ ଆଗମନ’ ନାମ ଦେଇଛି । ବିକ୍ରମ-୧ ଏକ ଅତ୍ୟାଧୁନିକ ଅର୍ବିଟାଲ୍ ଲଞ୍ଚ ଭେଇକଲ୍, ଯାହା ପ୍ରାୟ ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ କ୍ଷୁଦ୍ର ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ୨୦୨୨ରେ ସ୍କାଇରୁଟ୍ ‘ବିକ୍ରମ-ଏସ୍’ ନାମକ ସବ୍-ଅର୍ବିଟାଲ୍ ରକେଟ୍‌ର ସଫଳ ଉତ୍‌କ୍ଷେପଣ କରି ଭାରତର ପ୍ରଥମ ଘରୋଇ ମହାକାଶ କମ୍ପାନି ଭାବେ ଇତିହାସ ସୃଷ୍ଟି କରିଥିଲା। ସେହି ରକେଟ୍ ୮୮.୮ କିଲୋମିଟର ଉଚ୍ଚତା ଏବଂ ମ୍ୟାକ୍ ୫.୦୭ ବେଗ ହାସଲ କରିଥିଲା। ମହାକାଶ କ୍ଷେତ୍ରର ବିଶେଷଜ୍ଞଙ୍କ ମତରେ, ବିକ୍ରମ-୧ର ସଫଳ ଉତ୍‌କ୍ଷେପଣ ଭାରତର ଦ୍ରୁତଗତିରେ ବିକଶିତ ହେଉଥିବା ଘରୋଇ ସ୍ପେସ୍ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ମାଇଲଖୁଣ୍ଟ। ସାରା ବିଶ୍ୱରେ ମାତ୍ର ୧-୨ ଟି ଦେଶ ପାଖରେ ଏଭଳି ଛୋଟ ବାଣିଜ୍ୟିକ ଲଞ୍ଚ ଭେହିକିଲ୍ ରହିଛି lଏହି ସଫଳତା ସାରା ବିଶ୍ୱରେ ଭାରତର ବାଣିଜ୍ୟିକ ରକେଟ୍ ଉତକ୍ଷେପଣ କ୍ଷମତା ଏବଂ ଛୋଟ ସାଟେଲାଇଟ୍ ବଜାରକୁ ଏକ ବଡ଼ ଶକ୍ତି ପ୍ରଦାନ କରିବ ।

Comments are closed, but trackbacks and pingbacks are open.