କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

30

ଭୁବନେଶ୍ବର: କଟକ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଚନ୍ଦ୍ରିକାଙ୍କୁ ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀ ମିଳିତ ଭାବେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ନେଇ ପରିବାର ପକ୍ଷରୁ ସଂଗୀନ ଅଭିଯୋଗ ହୋଇଛି। ମୃତ ଚନ୍ଦ୍ରିକା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ (MBBS) ତୃତୀୟ ବର୍ଷର ଛାତ୍ରୀ ଥିଲେ। ମୃତ ଗଣମାଧ୍ୟମ ସମ୍ମୁଖରେ ଚନ୍ଦ୍ରିକାଙ୍କ ମାଆ ଏବଂ ଭାଇ ଅଭିଯୋଗ କରିଛନ୍ତି ଯେ, ଭୀମସେନ ପ୍ରସାଦ ଟୁଡୁ ନାମକ ଜଣେ ଯୁବକ ଚନ୍ଦ୍ରିକାଙ୍କୁ ପ୍ରେମ କରୁଥିଲେ ଏବଂ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର କିଛି ଦିନ ହେବ ଉଭୟଙ୍କ ସମ୍ପର୍କ ମଝିକୁ ଅନ୍ୟ ଜଣେ ଯୁବତୀ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ପ୍ରେମ ସତୀନତା କାରଣରୁ ହିଁ ପ୍ରେମିକ ଭୀମସେନ ଓ ସଂପୃକ୍ତ ଯୁବତୀ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଛନ୍ତି। ଅପରପକ୍ଷରେ, ଏହି ସମ୍ବେଦନଶୀଳ ମାମଲାରେ କଟକ ଡିସିପି ସୂଚନା ଦେଇଛନ୍ତି ଯେ, ଚନ୍ଦ୍ରିକା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଆସିଥିଲେ। ବର୍ତ୍ତମାନ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ମୃତ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଏବଂ ସୋସିଆଲ ମିଡିଆ ଚାଟିଂର ତଥ୍ୟ ଆଧାରରେ ଘଟଣାର ସୂକ୍ଷ୍ମ ତଦନ୍ତ ଚଳାଇଛି।

Comments are closed, but trackbacks and pingbacks are open.