ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ପଦବୀ ଉପରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀମାନେ କୌଣସି ଦାବି କରିପାରିବେ ନାହିଁ। ଯଦି ଏପରି କରାଯାଏ, ତେବେ ତାହା ପ୍ରକୃତ ଯୋଗ୍ୟ ଏବଂ କମ୍ ପଢ଼ିଥିବା ଗରିବ ପ୍ରାର୍ଥୀଙ୍କ ସୁଯୋଗକୁ ଛଡ଼ାଇ ନେବ। ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । କହିଛନ୍ତି, ଯେତେବେଳେ ଏକ ନିର୍ଦ୍ଦିଷ୍ଟ ପଦବୀ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ, ସେଠାରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଲେ, ପ୍ରକୃତରେ ସେହି ଚାକିରି ପାଇଁ ଯୋଗ୍ୟ ଥିବା ପ୍ରାର୍ଥୀ ନିଜ ଅଧିକାରରୁ ବଞ୍ଚିତ ହେବେ। ମାଡ୍ରାସ ହାଇକୋର୍ଟଙ୍କ ଏକ ପୁରୁଣା ଆଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସିଣ୍ଡିକେଟ୍ ବ୍ୟାଙ୍କରେ ଜଣେ ପ୍ରାର୍ଥୀ ଦଶମ ଶ୍ରେଣୀ ଯୋଗ୍ୟତା ଥିବା ଆଟେଣ୍ଡାଣ୍ଟ ପଦବୀ ପାଇଁ ନିଜର ଗ୍ରାଜୁଏସନ୍ ଡିଗ୍ରୀ ଲୁଚାଇ ଚାକିରି ପାଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟ ସାମ୍ନାକୁ ଆସିବା ପରେ ବ୍ୟାଙ୍କ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଏବେ ସଠିକ୍ ବୋଲି ଦର୍ଶାଇଛନ୍ତି। ନିଜର ଉଚ୍ଚ ଶିକ୍ଷାକୁ ଲୁଚାଇ କୌଣସି ଚାକିରି ହାସଲ କଲେ, ତାହା ଆଇନ ଆଖିରେ ସମ୍ପୂର୍ଣ୍ଣ ଅବୈଧ ଅଟେ।
Comments are closed, but trackbacks and pingbacks are open.