ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ୧୨ରେ ଲଘୁଚାପ, ୧୫ ପରେ ସ୍ପଷ୍ଟ ହେବ ଚିତ୍ର

72

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତନଠାରୁ ପ୍ରାୟ ୧.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହୋଇ ମେ’ ୧୨ କିମ୍ବା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଅବପାତ (Depression) ର ରୂପ ନେଇପାରେ। ୧୫ ତାରିଖ ପରେ ହିଁ ଏହା ବାତ୍ୟାର ରୂପ ନେବ କି ନାହିଁ, ସେ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟରେ ବର୍ତ୍ତମାନ ଏକ ଟ୍ରପଲାଇନ୍ ସକ୍ରିୟ ରହିଛି, ଯାହାର ପ୍ରଭାବ ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ବହିପାରେ। କାଳବୈଶାଖୀ ସତ୍ତ୍ୱେ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଗାମୀ ୪୮ ଘଣ୍ଟା ପରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ୧୦ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଫୁଲବାଣୀ ଓ ମାଲକାନଗିରି ପାଇଁ ସତର୍କ ସୂଚନା ଜାରି ହୋଇଛି ଏବଂ ୧୧ ତାରିଖ ପାଇଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, ସୋନପୁର, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବ।

Comments are closed, but trackbacks and pingbacks are open.