ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ଫେଲ୍: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ସଂସଦ

205

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହ—ଲୋକସଭା ଏବଂ ରାଜ୍ୟସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏହା ସହିତ ସଂସଦର ୨୦୨୬ ବଜେଟ୍ ଅଧିବେଶନ ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ମହିଳା ସଂରକ୍ଷଣ ଆଇନରେ ପରିବର୍ତ୍ତନ ପାଇଁ ଆଗତ ସମ୍ବିଧାନ ସଂଶୋଧନ ବିଲ୍ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ନିମ୍ନ ସଦନରେ ପାରିତ ହୋଇନପାରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ପୂର୍ବାହ୍ନ ୧୧ଟାରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର କିଛି ମିନିଟ୍‌ର କାର୍ଯ୍ୟକଳାପ ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ନିଜର ସମାପନୀ ଅଭିଭାଷଣ ରଖିବା ସହ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସମାପ୍ତ ହୋଇଥିବା ଘୋଷଣା କରିଥିଲେ। ସେହିପରି ରାଜ୍ୟସଭାରେ ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ଗୃହର ସଦସ୍ୟମାନଙ୍କୁ ବିଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଉପର ସଦନକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମହିଳା ସଂରକ୍ଷଣ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌ଟି ଲୋକସଭାରେ ଆବଶ୍ୟକ ସମର୍ଥନ ପାଇବାରେ ବିଫଳ ହେବା ଫଳରେ ଗୃହରେ ବେଶ୍ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed, but trackbacks and pingbacks are open.