ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଗିରଫ: ଦିଲ୍ଲୀ ପୋଲିସ ହାତରେ ଧରାପଡ଼ିଲା ଶେଖ୍ ଇମ୍ରାନ

203

ଭୁବନେଶ୍ୱର: ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ଓଡ଼ିଆ ଯୁବକକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଗିରଫ ଯୁବକଜଣକ ହେଲେ ଶେଖ୍ ଇମ୍ରାନ। ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଦ୍ୱାରା ଚିହ୍ନଟ ହୋଇଥିବା ୪ ଜଣ ମୌଳବାଦୀଙ୍କ ମଧ୍ୟରେ ଇମ୍ରାନ ଅନ୍ୟତମ। ଏହି ମାମଲାରେ ପୋଲିସ ମହାରାଷ୍ଟ୍ରରୁ ୨ ଜଣ ଏବଂ ବିହାରରୁ ଜଣକୁ ମଧ୍ୟ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅଭିଯୁକ୍ତମାନେ ସୋସିଆଲ ମିଡିଆ ଗ୍ରୁପ୍ ମାଧ୍ୟମରେ ଅନ୍ୟ ଯୁବକମାନଙ୍କୁ ଆକୃଷ୍ଟ କରି ନିଜ ସଙ୍ଗଠନରେ ସକ୍ରିୟ କରାଉଥିଲେ। କେବଳ ସେତିକି ନୁହେଁ, ବଡ଼ଧରଣର ଆତଙ୍କୀ ଆକ୍ରମଣ ପାଇଁ ସେମାନେ IED (ଉନ୍ନତ ବିସ୍ଫୋରକ ଯନ୍ତ୍ର) ମଧ୍ୟ ପ୍ରସ୍ତୁତ କରୁଥିଲେ। ଜିହାଦୀ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ପାଇଁ ଏହି ଗୋଷ୍ଠୀ QR କୋଡ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ। ନୂତନ ଭାବେ ଯୋଗ ଦେଉଥିବା ଯୁବକମାନଙ୍କୁ ତାଲିମ ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଉଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକମାନେ ‘ଖଲିଫା’ ପ୍ରତିଷ୍ଠା ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ପୋଲିସ ସୂଚନା ଅନୁଯାୟୀ, ସେମାନେ **‘ଗଜୱା-ଏ-ହିନ୍ଦ’**ରେ ଭାଗ ନେବା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରୁ ଦିଲ୍ଲୀ ପୋଲିସ ଶେଖ୍ ଇମ୍ରାନକୁ ଉଠାଇ ନେଇଥିଲା ଏବଂ ପଚରାଉଚରା ପରେ ତାକୁ ବିଧିବଦ୍ଧ ଭାବେ ଗିରଫ ଦର୍ଶାଇଛି।

Comments are closed, but trackbacks and pingbacks are open.