ଭୁବନେଶ୍ୱରରେ ଅଘଟଣ: ‘ଆମ ବସ୍’ ଧକ୍କାରେ ଅତିରିକ୍ତ ଡିସିପି ଆହତ

179

ଭୁବନେଶ୍ୱର: ରାଜଧାନୀରେ ‘ଆମ ବସ’ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଏବେ ସାଧାରଣ ଜନତାଙ୍କ ପାଇଁ ସାଂଘାତିକ ସାଜିଛି। ଶୁକ୍ରବାର ସକାଳେ ଏକ ‘ଆମ ବସ’ ଧକ୍କାରେ କମିଶନରେଟ ପୋଲିସର ଅତିରିକ୍ତ ଡିସିପି (ADCP) କୃଷ୍ଣଚନ୍ଦ୍ର ସେଠୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳ ସମୟରେ କୃଷ୍ଣଚନ୍ଦ୍ର ସେଠୀ ସାଇକେଲ ଚଳାଇ ଯାଉଥିଲେ। କ୍ୟାପିଟାଲ ଥାନା ଅନ୍ତର୍ଗତ ଭୁବନେଶ୍ୱର କ୍ଲବ୍ ନିକଟରେ ଏକ ‘ଆମ ବସ’ ତାଙ୍କୁ ପଛପଟୁ ସଜୋରରେ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ବସ୍ ଚାଳକ ଜଣକ ଗାଡ଼ି ନଅଟକାଇ ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ କୃଷ୍ଣଚନ୍ଦ୍ରଙ୍କ କାନ୍ଧର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, କୃଷ୍ଣଚନ୍ଦ୍ର ବର୍ତ୍ତମାନ କମିଶନରେଟ ପୋଲିସ ମୁଖ୍ୟାଳୟର ଅଭିଯୋଗ ପ୍ରକୋଷ୍ଠ (Grievance Cell) ଦାୟିତ୍ୱରେ ରହିଛନ୍ତି।

Comments are closed, but trackbacks and pingbacks are open.