ଭୁବନେଶ୍ୱର: ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଛି ଏକ ବଡ଼ ଧରଣର ଅଘଟଣ। ଶୁକ୍ରବାର ଦିନ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡା ଗାଁରେ ବାଣ ଭିଡ଼ୁଥିବା ସମୟରେ ବିସ୍ଫୋରଣ ଘଟି ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଗକୁ ଲଙ୍କାପୋଡ଼ି ଯାତ୍ରା ଥିବାରୁ କୋରଡା ଗାଁରେ ବାଣ ତିଆରି କାମ ଜୋରସୋରରେ ଚାଲିଥିଲା। ତେବେ ବାଣ ଭିଡ଼ୁଥିବା ସମୟରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେଠାରେ ଉପସ୍ଥିତ ଥିବା ୬ ଜଣ ବ୍ୟକ୍ତି ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ ସମସ୍ତ ଗୁରୁତରଙ୍କ ଶରୀର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଛି। ଜଣେ ନାବାଳକର ଶରୀର ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଉତ୍ତମ ଚିକିତ୍ସା ପାଇଁ ଆହତମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ଏମ୍ସ (AIIMS) ଏବଂ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.