ଓଡ଼ିଆ ଖାଦ୍ୟ ‘ପଖାଳ’ ର ସ୍ଥାନ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସରେ

146

ଭୁବନେଶ୍ୱର: ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସରେ ରାଜ୍ୟସ୍ତରୀୟ ‘ପଖାଳ ପରବ’ ହୋଇଯାଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୪ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା ଓ ଏହା ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ କଥା କହି ଭାବବିହ୍ବଳ ହୋଇ ପଡ଼ିଥିଲେ। ସେ କହିଲେ, ପଖାଳ କେବଳ ଗରିବର ଖାଦ୍ୟ ନୁହେଁ; ବରଂ ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ‘ଟଙ୍କ ତୋରାଣି’ ଏବଂ ପଖାଳ ଭୋଗ ଲାଗି ହୋଇଥାଏ। ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା ‘ଜିରୋ ୱେଷ୍ଟ’ ଖାଦ୍ୟ। ଏହାସହିତ ବିଶ୍ବ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି। ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆ ଏହି ଦିନକୁ ପାଳନ କରୁଛନ୍ତି। ଦେଶ ବିଦେଶରେ ରହୁଥିବା ଓଡ଼ିଆଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି ପଖାଳ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇଥିଲେ ଏବଂ ଯୁବ ପିଢ଼ିଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ। ପଖାଳ ଦିବସ ସରକାରଙ୍କ ‘ବିକଶିତ ଓଡ଼ିଶା’ ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନିଜର ପୁରାତନ ସଂସ୍କୃତିକୁ ସୁରକ୍ଷିତ ରଖି ଆଧୁନିକତା ଆଡ଼କୁ ଦୃଢ଼ ଭାବେ ଅଗ୍ରସର ହେବା ହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଏହାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ପାଇଁ ଆମ ସରକାର ଯେଉଁ ନିରନ୍ତର ଉଦ୍ୟମ କରୁଛନ୍ତି, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ନୂତନ ଆଶା ଏବଂ ଗର୍ବ ସୃଷ୍ଟି କରିଛି ବୋଲି ସେ କହିଥିଲେ।

Comments are closed, but trackbacks and pingbacks are open.