ଭିୱାଡି: ରାଜସ୍ଥାନର ପ୍ରମୁଖ ଶିଳ୍ପାଞ୍ଚଳ ଭିୱାଡିସ୍ଥିତ ଖୁସଖେଡାରେ ସୋମବାର ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ନିଆଁ ଲାଗିଯିବା ଫଳରେ ୭ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଶ୍ରମିକ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖୁସଖେଡା ଶିଳ୍ପାଞ୍ଚଳର ପ୍ଲଟ୍ ନମ୍ବର ଜି-୧-୧୧୮-ବି ରେ ଥିବା ଏହି କାରଖାନାରେ ସକାଳ ପ୍ରାୟ ୯ଟା ସମୟରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ପୁଲିସ ନିୟନ୍ତ୍ରଣ କକ୍ଷକୁ ୯:୨୨ରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାରଖାନା ଭିତରେ ୩ରୁ ୪ଟି ଶକ୍ତିଶାଳୀ ବିସ୍ଫୋରଣ ଶୁଣାଯାଇଥିଲା। ଗଚ୍ଛିତ ଥିବା ରାସାୟନିକ ଓ ଜ୍ୱଳନଶୀଳ ପଦାର୍ଥ ଯୋଗୁଁ ନିଆଁ କିଛି ମିନିଟ୍ ମଧ୍ୟରେ ସମଗ୍ର କୋଠାକୁ ଗ୍ରାସ କରିଥିଲା। ଦୁର୍ଘଟଣା ସମୟରେ କାରଖାନାରେ ୨୦ରୁ ୨୫ ଜଣ ଶ୍ରମିକ ଥିଲେ, ଯେଉଁଥିରୁ କିଛି ଜଣ ବାହାରକୁ ଆସିବାରେ ସଫଳ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ ଭିତରୁ ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇ ମାନବ କଙ୍କାଳରେ ପରିଣତ ହୋଇଛି। ଯାହାଫଳରେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଅନେକ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି କାରଖାନାଟି କିଛି ମାସ ଧରି ବନ୍ଦ ଥିଲା ଏବଂ ସେଠାରେ ବହୁ ପରିମାଣର କାର୍ଡବୋର୍ଡ ଗଚ୍ଛିତ ଥିଲା। ଏହି ଘଟଣା ପରେ ସମଗ୍ର ଶିଳ୍ପାଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶ୍ରମିକ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ସ୍ତରରେ ବୈଦ୍ୟୁତିକ ସର୍ଟ ସର୍କିଟ୍କୁ ଅଗ୍ନିକାଣ୍ଡର କାରଣ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ କାରଖାନାରେ ଅଗ୍ନି ନିରାପତ୍ତା ମାନଦଣ୍ଡର ଉଲ୍ଲଂଘନ ହୋଇଛି କି ନାହିଁ ସେନେଇ ତଦନ୍ତ ଚାଲିଛି।
Comments are closed, but trackbacks and pingbacks are open.