ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା: ୧୦ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ

79

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମଙ୍ଗଳବାର, ୨୦୨୬ ଫେବୃଆରୀ ୧୭ ରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶରେ ପ୍ରାୟ ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ଯେପରି ଶୃଙ୍ଖଳିତ ଭାବେ ଓ ସଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ସେଥିପାଇଁ ବୋର୍ଡ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସିବିଏସ୍‌ଇର ନିୟମ ଅନୁସାରେ ପରୀକ୍ଷା ସକାଳ ୧୦:୩୦ ମିନିଟରେ ଆରମ୍ଭ ହେବ, କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଛି। ୧୦ଟା ପରେ କୌଣସି ପରିସ୍ଥିତିରେ କାହାକୁ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଯାତାୟାତ ସମସ୍ୟା ଓ ସମ୍ଭାବ୍ୟ ଭିଡ଼କୁ ଏଡ଼ାଇବା ପାଇଁ ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ନିଜର କେନ୍ଦ୍ର ବୁଲି ଦେଖିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସେମାନେ ଦୂରତା ଓ ଯାତ୍ରା ସମୟ ବିଷୟରେ ସଠିକ୍ ଅନୁମାନ କରିପାରିବେ। ବିଭିନ୍ନ ସ୍ଥାନରେ ଚାଲିଥିବା ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀ, ଉଚ୍ଚସ୍ତରୀୟ ବୈଠକ ଏବଂ ଟ୍ରାଫିକ୍ ଜାମ୍‌କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ଯଥେଷ୍ଟ ପୂର୍ବରୁ ଘରୁ ବାହାରିବା ଆବଶ୍ୟକ। ସ୍ଥାନୀୟ ପରିସ୍ଥିତି ଓ ପାଣିପାଗକୁ ଆଖିରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ଅଭିଭାବକ ଓ ପିଲାମାନଙ୍କୁ ଅନୁରୋଧ କରାଯାଇଛି। ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ସୂଚନା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.