ମାଲକାନଗିରି ହିଂସା: ଧୀରେ ଧୀରେ ସୁଧୁରିବାରେ ଲାଗିଛି ଉତ୍ତେଜନାମୂଳକ ପରିସ୍ଥିତି

179

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଏମ.ଭି -୨୬ ଗାଁରେ ଦେଖା ଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଜି ସୁଦ୍ଧା ଏମ.ଭି-୨୬ ଗାଁର ଅଧିକାଂଶ ଲୋକ ଘରକୁ ଫେରିଛନ୍ତି। ଗାଁରୁ ବିଏନଏସ ଧାରା ୧୬୩ ହଟାଇ ଦିଆଯାଇଥିବା ବେଳେ ପୋଡାଜଳା ଘଟଣାରେ ରାଖେଲଗୁଡ଼ାର ୬ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲାରେ ଇଣ୍ଟରନେଟ କଟକଣାକୁ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏମଭି-୨୬ ଗାଁରେ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ ସଜାଡ଼ି ଦିଆଯାଇଥିବା ବେଳେ ୧୦୬ଟି ଘରେ ପୁନଃ ବିଦ୍ୟୁତ ସଂଯୋଗ କରାଯାଇଛି। ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ୨ଓଳି ରନ୍ଧା ଖାଦ୍ୟ ସହ ପୋଷାକ, କମ୍ବଳ, ତାରପୋଲିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପ୍ରାଥମିକ ଆକଳନ ମୁତାବକ, ହିଂସାରେ ୩ କୋଟି ୩୪ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନେତୃତ୍ୱରେ ଜିଲ୍ଲା ଜନଜାତି ସମାଜକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜନଜାତିଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା କରାଯାଇଛି।

Comments are closed, but trackbacks and pingbacks are open.