କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

210

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ହେଉଅଛି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ ଅଗଣିତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଠି କରିଛି ବୋଲି ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ଵର ଓ କେନ୍ଦ୍ରାପଡ଼ା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଯଥାକ୍ରମେ ସାଂସଦ ଶ୍ରେୟାସ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନିୟାପନ୍ ଭୁନେଶ୍ୱରରେ ପହଞ୍ଚି ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ଏହିପରି ସୋମବାର ଦେବଗଡ଼, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ (ପୂର୍ବ), ନବରଙ୍ଗପୁର, ନୟାଗଡ଼ ଓ ନୂଆପଡ଼ା ପାଇଁ ଯଥାକ୍ରମେ ମୁମ୍ବାଇ କଂଗ୍ରେସ କାର୍ଯ୍ୟକାରୀ କମିଟି ସଭାପତି ଚରଣ ସିଂହ ସାପ୍ରା, ପୂର୍ବତନ ମନ୍ତ୍ରୀ ବିମଳ ଶାହା, ବିଧାୟକ ରାଘବେନ୍ଦ୍ର ସିଂହ, ଏଆଇସିସି କୃଷକ ବିଭାଗର ଅଖିଳେଶ ଶୁକ୍ଳା, ପିସିସି ପୂର୍ବତନ କାର୍ଯ୍ୟକାରୀ ସଭାପତି ଜେଟି କୁସୁମ କୁମାର, ପୂର୍ବତନ ପିସିସି ସଭାପତି ମହେଶ ଶର୍ମା ଓ ଏଆଇସିସି ସମ୍ପାଦକ ମନୋଜ ଚୌହାନ ପ୍ରମୁଖ ଆସି ଓଡ଼ିଶାରେ ପହଂଚିଛନ୍ତି। ସୂଚନାଯୋଗ୍ୟ ପ୍ରତ୍ୟେକ ଜିଲ୍ଲାର ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ୩ ଜଣିଆ ପିସିସି ପର୍ଯ୍ୟବେକ୍ଷକ ମଣ୍ଡଳୀ ସେମାନଙ୍କ ସହ ସଂପୃକ୍ତ ଜିଲ୍ଲା ଗସ୍ତ କରିଛନ୍ତି। ଉକ୍ତ ତିନିଜଣିଆ ପିସିସି ପର୍ଯ୍ୟବେକ୍ଷକ ମଣ୍ଡଳୀରେ ଜଣେ ଲେଖାଏଁ ବରିଷ୍ଠ କଂଗ୍ରେସ ନେତା ସାମିଲ ଅଛନ୍ତି। ପର୍ଯ୍ୟବେକ୍ଷକ ମାନେ ନିଜ ନିଜ ନିର୍ଦ୍ଧାରିତ ଜିଲ୍ଲାରେ ଅନ୍ୟୁନ ୭ ଦିନ ବିଭିନ୍ନ ବ୍ଲକ୍ ଗସ୍ତରେ ଯାଇ ସେଠାକାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନଙ୍କ ସହ ଆଲୋଚନା କରି ଏକ ୬ ଜଣିଆ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିବେ। ଉକ୍ତ ତାଲିକାରେ ଅନୁସୂଚିତ ଜାତି, ଜନଜାତି, ମହିଳା, ଓବିସି ଓ ସଂଖ୍ୟାଲଘୁ ଆଦି ବର୍ଗର ପ୍ରତିନିଧିତ୍ଵ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ଉକ୍ତ ତାଲିକା ଗୁଡିକରୁ ଏଆଇସିସି ଜଣଙ୍କ ନାମ ସଭାପତି ଭାବେ ଘୋଷଣା କରିବ। ଏହି ପ୍ରକ୍ରିୟାକୁ ଯଥାସମ୍ଭବ ସ୍ଵଚ୍ଛ ଓ ନିରପେକ୍ଷ କରିବାକୁ ଏଆଇସିସି ତରଫରୁ ପରାମର୍ଶ ଦିଆଯାଇଛି। ଫଳରେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଯୋଗ୍ୟ ତଥା ଦକ୍ଷ ବ୍ୟକ୍ତି ଦଳର ସାଂଗଠନିକ ନେତୃତ୍ୱ ନେବେ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାକୁ ଯଥା ସମ୍ଭବ ଗଣତାନ୍ତ୍ରିକ ଓ ପୂର୍ଣ୍ଣାଙ୍ଗ କରିବା ପାଇଁ ଆବଶ୍ୟକ ସ୍ଥଳେ ପର୍ଯ୍ୟବେକ୍ଷକ ମାନେ ଅସୁସ୍ଥ ଓ ବୟୋବୃଦ୍ଧ ନେତୃବୃନ୍ଦଙ୍କ ଘରକୁ ଯାଇ ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖରେ ସରିବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.