କୋରାପୁଟରେ କଫି ବୋର୍ଡର ଅଧିକାରୀ ଓ ଚାଷୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

100

ଭୁବନେଶ୍ବର:କୋରାପୁଟ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଫି ଗାର୍ଡେନ୍ ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ହୋଇଥିବା ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କଫି ବୋର୍ଡର ଅଧିକାରୀଙ୍କ ସହ ଆଲୋଚନା କରିବା ଅବସରରେ ଜାଣିବାକୁ ପାଇଥିଲେ ଯେ କୋରାପୁଟ ଜିଲ୍ଲାରେ ୭୦୦୦ ହେକ୍ଟର ପରିମିତ ଜମିରେ କଫି ଚାଷ ହେଉଛି। କୋରାପୁଟ, ସେମିଳିଗୁଡ଼ା, ଲକ୍ଷ୍ମୀପୁର,ଦଶମନ୍ତପୁର, ପଟ୍ଟାଙ୍ଗି, ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ କଫି ଚାଷ ହେଉଛି। ସ୍ୱୟଂ ସଂଗଠନର ମହିଳାଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି। ଏଠାରେ ବାର୍ଷିକ ୬୦୦ ଟନ କଫି ଉତ୍ପାଦନ ହେଉଛି, ଯାହାର ବାର୍ଷିକ ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ। କଫିର କଞ୍ଚାମାଲ କେଜି ପ୍ରତି ୫୦୦ ଟଙ୍କା ବିକ୍ରି କରାଯାଉଛି। ଆଗାମୀ କୋରାପୁଟ ସମେତ କଫି ଚାଷକୁ ଆଗକୁ ବଢାଇବାର ଲକ୍ଷ୍ୟ ରଖାଯାଇଛି। ଆଲୋଚନା କାଳରେ ଶ୍ରୀ ପ୍ରଧାନ କହିଥିଲେ ଯେ ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି। ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି। ବିଶ୍ୱରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ୍’ କରିବାକୁ ହେଲେ ଏହି ସ୍ୱତନ୍ତ୍ର କଫିର ଉତ୍ପାଦନ ବଢାଇବା ଦିଗରେ ଆମେ ସାମୂହିକ ପ୍ରୟାସ କରିବା ଉଚିତ୍ ବୋଲି ସେ କହିଥିଲେ।

Comments are closed, but trackbacks and pingbacks are open.