ଜାତିସଂଘର ତଦନ୍ତ ସହାୟତାକୁ ପ୍ରତ୍ୟାଖ୍ୟାନ କଲା ଭାରତ

90

ଅହମଦାବାଦ: ବ୍ଲାକ୍‌ବକ୍ସ ତଥ୍ୟ ବିଶ୍ଳେଷଣରେ ବିଳମ୍ବ ହେଉଥିବାରୁ କେତେକ ସୁରକ୍ଷା ବିଶେଷଜ୍ଞ ଏହାକୁ ସମାଲୋଚନା କରିଥିବା ବେଳେ ଜାତିସଂଘ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ମାତ୍ର ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଭାରତରେ ଥିବା ଏହାର ଅନୁସନ୍ଧାନକାରୀଙ୍କୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେବାକୁ କହିଥିଲା, କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।ଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାର ତଦନ୍ତର ନେତୃତ୍ୱ ନେଉଥିବା ଭାରତର ଏୟାର୍‌କ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) କୌଣସି ମନ୍ତବ୍ୟ ଦେବାକୁ ମନା କରିଥିବା ବେଳେ ଆଇସିଏଓ ତୁରନ୍ତ ମତାମତ ପାଇଁ ଉପଲବ୍ଧ ହୋଇନାହିଁ। ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଦୁର୍ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ଅନୁସନ୍ଧାନକାରୀମାନେ ଫ୍ଲାଇଟ୍ ରେକର୍ଡର ଡାଟା ଡାଉନଲୋଡ୍ କରିଛନ୍ତି। ଭାରତୀୟ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ବିଭାଗ ସମସ୍ତ ଆଇସିଏଓ ପ୍ରୋଟୋକଲ ପାଳନ କରୁଛି। ଅଧିକାଂଶ ବିମାନ ଦୁର୍ଘଟଣା ଏକାଧିକ କାରଣରୁ ହୋଇଥାଏ ଏବଂ ଦୁର୍ଘଟଣାର ପ୍ରାୟ ୩୦ ଦିନ ପରେ ପ୍ରାଥମିକ ରିପୋର୍ଟ ଆସିବ ବୋଲି ଆଶା କରାଯାଉଛି।

Comments are closed, but trackbacks and pingbacks are open.