ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ନିନ୍ଦା

193

ବେଜିଂ: ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ କରିଛି ଯୁକ୍ତରାଷ୍ଟ୍ର ଆମେରିକା।  ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଛି। ଚାଇନା ମଧ୍ୟ ଆମେରକାର ଏୟାରଷ୍ଟ୍ରାଇକ୍‌କୁ ଦୃଢ଼ ନିନ୍ଦା କରିବା ସହ ଏହା ଜାତିସଂଘ ଚାର୍ଟରର ଉଲ୍ଲଂଘନ ଓ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ାଇଥିବା କହିଛି। ଯୁଦ୍ଧରେ ସାମିଲ ଥିବା ଇସ୍ରାଏଲ୍‌ ଏବଂ ଅନ୍ୟ ପକ୍ଷମାନେ ଆଲୋଚନା ଜରିଆରେ ଯଥାଶୀଘ୍ର ସମ୍ଭବ ଯୁଦ୍ଧବିରତି ରାଜିନାମାରେ ପହଞ୍ଚତ୍ବା ଏବଂ ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଜିଂ ଆହ୍ବାନ ଦେଇଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ପାଇଁ ଆମେରିକା ରବିବାର ଏହାର ଫର୍‌ଦୋ, ଇସ୍‌ଫାହାନ ଏବଂ ନତାଞ୍ଜ ନ୍ୟୁକ୍ଲିୟର ଫାସିଲିଟି ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇରାନର ନ୍ୟୁକ୍ଲିୟର ଫାସିଲିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରିଥିଲେ। ଆମେରିକା ସେନା ବହୁତ ସଫଳ ଆକ୍ରମଣ କରିଛନ୍ତି ଏବଂ ଇରାନ ଯଦି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆହୁରି ଆକ୍ରମଣ ହେବ ବୋଲି ସେ ଚେତାବନୀ ଦେଇଥିଲେ। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ସୁରକ୍ଷାରେ ଥିବା ଇରାନର ୩ଟି ଆଣବିକ ସ୍ଥଳ ଉପରେ ଆମେରିକାର ଆକ୍ରମଣକୁ ଚାଇନା ଦୃଢ଼ ନିନ୍ଦ କରିଥିବା ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି। ଏହା ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ଉଦ୍ଦେଶ୍ୟ ଓ ସିଦ୍ଧାନ୍ତର ଗୁରୁତର ଉଲ୍ଲଂଘନ ଏବଂ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ାଇଛି। ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ବେଜିଂ ଅନ୍ତର୍ଜାତୀୟ ସମୁଦାୟ ସହ କାର୍ଯ୍ୟ କରିବାକୁ ପସ୍ତୁତ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ସେହିପରି ରୁଷିଆ ବହିର୍ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏକ ସାର୍ବଭୌମ ରାଷ୍ଟ୍ରରେ ମିଶାଇଲ୍‌ ଓ ବୋମା ଆକ୍ରମଣ ଦାୟିତ୍ୱହୀନ ନିଷ୍ପତ୍ତି। ଜାତିସଂଘ ସୁରକ୍ଷା ପରିଷଦର ଏକ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏଭଳି ଆକ୍ରମଣ ବିଶେଷ ଭାବେ ଚିନ୍ତାଜନକ ବୋଲି ଆମେରିକାର ନାଁ ନ ନେଇ ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କର ଆଲୋଚନା କରିବାର କୌଣସି ଯୋଜନା ନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି।

Comments are closed, but trackbacks and pingbacks are open.