ସରକାର ନକ୍ସଲବାଦ ଦମନ କରିବାକୁ ସଙ୍କଳ୍ପ ନେଇଛନ୍ତି: ଅମିତ ଶାହ

151

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଏଥର ମୌସୁମୀ ଋତୁରେ ମଧ୍ୟ ମାଓବାଦୀମାନଙ୍କୁ ଶୋଇବାକୁ ଦିଆଯିବ ନାହିଁ। ସୁରକ୍ଷା ବାହିନୀର ଅଭିଯାନ ମୌସୁମୀ ସମୟରେ ମଧ୍ୟ ଜାରି ରହିବ। ସେ ମାଓବାଦୀମାନଙ୍କୁ ହତିଆର ପକାଇ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ଯେ, ମାଓବାଦୀଙ୍କ ସହ କୌଣସି ଆଲୋଚନାର ଆବଶ୍ୟକତା ନାହିଁ। ଛତିଶଗଡ଼ରେ ଏକ ଉଚ୍ଚସ୍ତରୀୟ ବୈଠକରେ ଶାହ କହିଛନ୍ତି ଯେ, ଅନ୍ୟ ବର୍ଷଗୁଡ଼ିକରେ ମୌସୁମୀ ସମୟରେ ମାଓବାଦୀମାନେ ଅଭିଯାନରୁ କିଛି ଆରାମ ପାଇଥିଲେ, କିନ୍ତୁ ଏଥର ସୁରକ୍ଷା ବାହିନୀ ସେମାନଙ୍କୁ କୌଣସି ସୁଯୋଗ ଦେବେ ନାହିଁ। ସେ ଜୋର ଦେଇ କହିଛନ୍ତି ଯେ, ମାଓବାଦୀଙ୍କ ବିରୋଧରେ କୌଣସି ନରମ ନୀତି ଗ୍ରହଣ କରାଯିବ ନାହିଁ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ନିର୍ମୂଳ କରାଯିବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଭାରତକୁ ମାଓବାଦୀମୁକ୍ତ କରିବା ତାଙ୍କର ‘ମୋଦୀ ଗ୍ୟାରେଣ୍ଟି’। ଅମିତ ଶାହଙ୍କ ଏହି ବୟାନ ମୋଦୀଙ୍କ ଏହି ପ୍ରତିଶ୍ରୁତିକୁ ଆହୁରି ଦୃଢ଼ କରୁଛି। ଗୃହମନ୍ତ୍ରୀ ମାଓବାଦୀମାନଙ୍କୁ ହିଂସାର ପଥ ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ଆତ୍ମସମର୍ପଣ କରିବେ, ସେମାନଙ୍କୁ ସରକାରୀ ଯୋଜନାରେ ପୁନର୍ବାସନ ଓ ସମ୍ମାନଜନକ ଜୀବନ ଯାପନ କରିବାର ସୁଯୋଗ ମିଳିବ। କିନ୍ତୁ ଯେଉଁମାନେ ହିଂସା ଜାରି ରଖିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed, but trackbacks and pingbacks are open.