ଇସ୍ରାଏଲୀ ଡ୍ରୋନ ଆକ୍ରମଣରେ ହମାସ ମୁଖ୍ୟଙ୍କ ମୃତ୍ୟୁ

291

ନୂଆଦିଲ୍ଲୀ: ଇସ୍ରାଏଲରେ ଚାଲିଥିବା ହମାସ ଯୁଦ୍ଧ ମଧ୍ୟରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ ଆଜି କହିଛନ୍ତି ଯେ, ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ନିପାତ କରାଯାଇଛି। ଇସ୍ରାଏଲୀ ସେନା ବହୁ ଦିନ ଧରି ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଖୋଜୁଥିଲା। ସିନୱାର ପୂର୍ବତନ ହମାସ ନେତା ୟାହୟା ସିନୱାରଙ୍କ ସାନ ଭାଇ ଥିଲେ, ଯିଏ ଗତ ବର୍ଷ ଇସ୍ରାଏଲୀ ସୈନିକଙ୍କ ସହ ଗୁଳିବିନିମୟରେ ପ୍ରାଣ ହରାଇଥିଲେ। ମେ ୧୪ ତାରିଖରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ହମାସ ମୁଖ୍ୟ ଗୁରୁତର ଆହତ ହୋଇଥିବା ଖବର ଆସିଥିଲା। ସେହି ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କିମ୍ବା IDF ନିଶ୍ଚିତ କରିବା ସ୍ଥିତିରେ ନଥିଲା ଯେ, ଆକ୍ରମଣରେ ହମାସ ମୁଖ୍ୟଙ୍କ ମୃତ୍ୟୁ ହୋଇଛି କି ନାହିଁ। ଗାଜାରେ ହମାସର ଶେଷ ଅବଶିଷ୍ଟ ଶୀର୍ଷ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ମହମ୍ମଦ ସିନୱାର ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିଲେ। କୁହାଯାଉଛି ଯେ, ସିନୱାର ଯେଉଁ ସ୍ଥାନରେ ଲୁଚି ରହିଥିଲେ ସେହି ସ୍ଥାନକୁ କମାଣ୍ଡ ସେଣ୍ଟର ଭାବରେ ବ୍ୟବହାର କରାଯାଉଥିଲା। ଯେତେବେଳେ ମେ ୧୪ ତାରିଖରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ସଠିକ ଡ୍ରୋନ୍ ଆକ୍ରମଣରେ କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରିଥିଲେ। କମାଣ୍ଡ ସେଣ୍ଟର ଖାନ ୟୁନିସରେ ୟୁରୋପୀୟ ହସ୍ପିଟାଲ ତଳେ ଅବସ୍ଥିତ ଥିଲା। ସଠିକ ଆକ୍ରମଣ ପରେ ଇସ୍ରାଏଲୀ ସେନା ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ଏହା ହସ୍ପିଟାଲ ତଳେ ଏକ ସୁଡ଼ଙ୍ଗ ଦେଖାଇଥିଲା, ଯାହା ହମାସ ନିୟନ୍ତ୍ରିତ ଅଞ୍ଚଳକୁ ନେଇଯାଇଥିଲା।

Comments are closed, but trackbacks and pingbacks are open.