‘ଆମେ ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତୁତ’: ଇରାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଗୁହାରୀ

230

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ପାକିସ୍ତାନକୁ ଧମକ ଦେଉଥିବାବେଳେ ଅନ୍ୟପଟେ ପାକିସ୍ତାନ ଗୁହାରୀ କରୁଥିବା ଦେଖାଯାଉଛି। ଏବେ ଇରାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ, ସେ ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତୁତ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କାଶ୍ମୀର, ସିନ୍ଧୁ ଜଳ ଚୁକ୍ତିନାମା ଏବଂ ଆତଙ୍କବାଦ ସମେତ ସମସ୍ତ ପ୍ରସଙ୍ଗରେ ଭାରତ ସହିତ ସିଧାସଳଖ ଆଲୋଚନା କରିବା ବିଷୟରେ କହିଛନ୍ତି। ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ, “ଆମେ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟା ଏବଂ ଜଳ ସମସ୍ୟା ସମେତ ସମସ୍ତ ବିବାଦର ସମାଧାନ କରିବାକୁ ଚାହୁଁଛୁ ଏବଂ ଆମେ ଆମର ପଡ଼ୋଶୀ ସହିତ ବାଣିଜ୍ୟ ଏବଂ ଆତଙ୍କବାଦ ବିରୋଧୀ ପ୍ରସଙ୍ଗରେ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ।” ଶାହବାଜ ସରିଫ କହିଛନ୍ତି ଯେ, “କିନ୍ତୁ ଯଦି ସେମାନେ (ଭାରତ) ଆକ୍ରମଣାତ୍ମକ ପନ୍ଥା ବାଛନ୍ତି, ତେବେ ଆମେ ଆମର ଅଞ୍ଚଳକୁ ରକ୍ଷା କରିବୁ… ଯେପରି ଆମେ କିଛି ଦିନ ପୂର୍ବରୁ କରିଥିଲୁ। କିନ୍ତୁ ଯଦି ସେମାନେ ମୋର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଆମେ ଦେଖାଇବୁ ଯେ ଆମେ ଗମ୍ଭୀରତା ଏବଂ ଆନ୍ତରିକତାର ସହିତ ପ୍ରକୃତରେ ଶାନ୍ତି ଚାହୁଁଛୁ।” ସରିଫ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ଦେଶ ଭାରତ ସହିତ ଚାରି ଦିନିଆ ଯୁଦ୍ଧରେ “ବିଜୟୀ” ଥିଲା। ପାକିସ୍ତାନ ଏବଂ ଭାରତ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ସଂଘର୍ଷ ସମୟରେ ପେଜେଶକିୟନଙ୍କ ଚିନ୍ତା ପ୍ରକଟକୁ ସରିଫ ପ୍ରଶଂସା କରିଥିଲେ। ସେ ସାମରିକ ଉତ୍ତେଜନା ସମୟରେ ପାକିସ୍ତାନ ଗସ୍ତ କରିବା ପାଇଁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଜଣେ “ଉତ୍କୃଷ୍ଟ କୂଟନୀତିଜ୍ଞ” ଭାବରେ ବର୍ଣ୍ଣନା କରିଥିଲେ।

Comments are closed, but trackbacks and pingbacks are open.