ତେଲ୍‌ ଆଭିଭ୍‌କୁ ବିମାନ ଚଳାଚଳ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

243

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ବେନ୍‌ ଗୁରିଅନ୍‌ ବିମାନବନ୍ଦରରେ ରବିବାର ହୁଟି ଆତଙ୍କବାଦୀ ମିଶାଇଲ୍‌ ଆକ୍ରମଣ କରିବା ପରେ ଏୟାର ଇଣ୍ଡିଆ ଆଗାମୀ ୨ ଦିନ ପାଇଁ ତେଲ୍‌ ଆଭିଭ୍‌କୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ଆକ୍ରମଣ ପରେ ରବିବାର ଦିଲ୍ଲୀରୁ ତେଲ୍‌ ଆଭିଭ୍‌ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆବୁଧାବୀକୁ ନିଆଯାଇଥିଲା। ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ୬ ତାରିଖ ମଧ୍ୟରେ ଆବୁଧାବୀ ଯିବା ପାଇଁ ଟିକେଟ ବୁକ୍‌ କରିଛନ୍ତି, ସେମାନଙ୍କୁ ରିହାତି ମିଳିବ କିମ୍ବା ସେମାନେ ଯାତ୍ରା ସମୟ ବଦଳାଇପାରିବେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରବିବାର ଏୟାର ଇଣ୍ଡିଆର ଏଆଇ୧୩୯ ବିମାନ ତେଲ୍‌ ଆଭିଭ୍‌ରେ ଅବତରଣ କରିବାର ଘଣ୍ଟାଏରୁ କମ୍‌ ସମୟ ପୂର୍ବରୁ ହୁଟି ଆତଙ୍କବାଦୀ ମିଶାଇଲ ଆକ୍ରମଣ କରିଥିଲେ। ତେଲ୍‌ ଆଭିଭ୍‌ ନିକଟରେ ଥିବା ଇସ୍ରାଏଲ୍‌ର ସର୍ବବୃହତ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ବେନ୍‌ ଗୁରିଅନ୍‌ ଏୟାରପୋର୍ଟର ୩ ନମ୍ବର ଟର୍ମିନାଲଠାରୁ ୭୫ ମିଟର ଦୂରରେ ମିଶାଇଲ୍‌ ମାଡ଼ କରିବାରୁ ୨୫ ମିଟର ଗଭୀର ଖାତ ସୃଷ୍ଟି ହୋଇଛି। ଏହା ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ଅତିକ୍ରମ କରି ଲକ୍ଷ୍ୟଭେଦ କରିଥିବା କୁହାଯାଉଛି।

Comments are closed, but trackbacks and pingbacks are open.