ଭୁବନେଶ୍ବର : ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁବରଣ କରିଥିବା ପରିବାରର ସାନ ଝିଅ ଓ ତାଙ୍କର ଦୁଇ ଭାଇଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ୪ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ହତ୍ୟା ମାମଲାରେ ୯ ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଦେଇଛନ୍ତି ହାଇକୋର୍ଟ । ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ସମସ୍ତ ଦୋଷୀ । ପୂର୍ବରୁ ଏହି ମାମଲାରେ ଗୁଣପୁର ଅତିରିକ୍ତ ଦୌରା ଜଜ୍ ୨୦୧୮, ଏପ୍ରିଲ ୨୩ରେ ଏହି ୯ଜଣଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରିଥିବା ବେଳେ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଥିଲେ । ଏଥି ସହିତ ମାମଲାର ସାନି ଶୁଣାଣି କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ୨୦୧୯, ନଭେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାୟଗଡ଼ା ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ମାମଲାର ସାନି ଶୁଣାଣି ଆରମ୍ଭ ହୋଇଥିଲା । ଏହି ମାମଲାର ପୁନର୍ବାର ଶୁଣାଣି କରି ଗତ ୨୦୨୧ ଅକ୍ଟୋବର ୨୧ରେ ରାୟଗଡ଼ା ଦୌରା ଜଜ୍ ଅଦାଲତ ଡେଙ୍ଗୁନ ଶବର, ଦାଷୁନ୍ତ ଶବର, ଅଜନ୍ତା ଶବର, ପ୍ରଧାନ୍ତୁ ଶବର, ଦାଲସା ଶବର, ମାଲକୁ ଶବର, ବୁବୁନା ଶବର, ଲାକିୟା ଶବର, ଇରୁ ଶବରଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଏହି ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା(ଡିଏସଆରଇଏଫ୍) ଓ ରାୟ ବିରୋଧରେ ଦାୟର ଅପିଲର ହାଇକୋର୍ଟ ଏକତ୍ର ଶୁଣାଣି କରି ଆଜି ରାୟ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସନ୍ଦେହରେ ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ଗ୍ରାମର ଅସୀନ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଅସମଣି ଶବରଙ୍କୁ ପିଟି ପିଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ । ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍ ଭର୍ତ୍ତି କରି ମୃତ ପ୍ରାୟ କରି ଦେଇଥିଲେ । ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ। ଏହା ପରେ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଶବ ମାଟି ତଳୁ କାଢି ପୋଡି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ପୀଡିତ ପରିବାରର ସାନ ଝିଅ । ତାଙ୍କୁ ମଧ୍ୟ ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା । କୌଶଳକ୍ରମେ ସେ ଗାଁରୁ ଖସି ଆସିବାରୁ ଘଟଣା ଲୋକଲୋଚନକୁ ଆସିଥିଲା । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁ˚ ଗ୍ରାମରେ ଏହି ଘଟଣା ଘଟିଥିଲା । ୨୦୧୬ ସେପ୍ଟେମ୍ବର ୧୬ରେ ଏନେଇ ପୋଲିସ ମାମଲା ରୁଜ୍ଜୁ କରିଥିଲା ।
Comments are closed, but trackbacks and pingbacks are open.